ତେହରାନ୍,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ ତେବେ ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ସାଲିସ କରିବା ସହିତ ଆଲୋଚନା ପାଇଁ ରାଜି ବୋଲି ରବିବାର ଉପ ବହିର୍ବ୍ୟାପାର ମନ୍ତ୍ରୀ ମାଜିଦ୍ ତାକତ୍ ରାଭାଞ୍ଚି ବିବିସିକୁ ସାକ୍ଷାତ୍କାର ଦେବା ଅବସରରେ କହିଛନ୍ତି। ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ଆଲୋଚନା ଆଗକୁ ବଢି ନ ପାରିବାରୁ ଏଥିପାଇଁ ଉଭୟ ଦେଶ ପରସ୍ପରକୁ ଦୋଷାରୋପ କରିଥିଲେ। ସପ୍ତାହ ତଳେ ଓମାନ ମଧ୍ୟସ୍ଥତାରେ ମସ୍କାଟ୍ଠାରେ ଆଲୋଚନା ଆରମ୍ଭ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ତୁର୍କୀ କିମ୍ବା ଇଜିପ୍ଟରେ ହେବାର ସମ୍ଭାବନା ଥିଲା। କିନ୍ତୁ ମସ୍କାଟ୍ ବୈଠକ ପରେ ଇରାନ ନିଜର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି କହିବା ପରେ ଇରାନ ସହ ଆଉ ବୁଝାମଣା ସମ୍ଭବ ନୁହେଁ ବୋଲି ଆମେରିକା ସ୍ଥିର କରିନେଇଥିଲା। ଇରାନ ଉପରେ ଆକ୍ରମଣ ଏକମାତ୍ର ବିଳକ୍ପ ଭାବେ ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଇରାନ ଅଭିମୁଖେ ଦ୍ୱିତୀୟ ବୃହତ ଯୁଦ୍ଧଜାହାଜ ସମେତ ଅନେକ ହଜାର ସେନା ପ୍ରେରଣ କରିଥିଲେ। ଏପରିକି ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମ୍ନେଇଙ୍କୁ ଟାର୍ଗେଟ କରି ତାଙ୍କୁ କ୍ଷମତାଚ୍ୟୁତ କରିବା ସବୁଠୁ ଭଲ ବିକଳ୍ପ ବୋଲି କହିଥିଲେ। ଏହି ଘଟଣାକୁ କିଛି ଘଣ୍ଟା ନ ପୂରୁଣୁ ଇରାନ ପକ୍ଷରୁ ଉପରୋକ୍ତ ବୟାନ ଜାରି କରାଯାଇଛି। କିନ୍ତୁ ଇରାନ ଉପରୁ ଆମେରିକା କଟକଣା ହଟାଇବ କି ନାହିଁ ସେ ସମ୍ପର୍କରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଅପରପକ୍ଷେ ଏବେ ନିଷ୍ପତ୍ତି ନେବା ଦାୟିତ୍ୱ ଆମେରିକା ହାତରେ ରହିଛି ବୋଲି କହି ଇରାନ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛି। ଯଦି ଆମେରିକା ଇରାନ ସର୍ତ୍ତକୁ ନ ମାନେ ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଏବେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି।