Abu Dhabi: Shubman Gill of Kolkata Knight Riders plays a shot during Indian Premier League 2020 cricket match against Sunrisers Hyderabad at the Sheikh Zayed Stadium, Abu Dhabi, Saturday, Sept. 26,2020. (PTI Photo/Sportzpics for BCCI) (PTI26-09-2020_000173B)
ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍ ଜାଏଦ୍ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା ପ୍ରଥମ ବିଜୟର ସ୍ବାଦ ଚାଖିଛି। ଟସ୍ ଜିତି ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୪୨ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୮ ଓଭରରେ ୩ ଉଇକେଟ ବିନିମୟରେ ୧୪୫ ରନକରି ବିଜୟୀ ହୋଇଥିଲା। ସୁନୀଲ ନାରିନ ଓ ଅଧିନାୟକ ଦୀଦେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ନୀତୀଶ ରାଣା ୧୩ ବଲରୁ ୬ ଚୌକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଶୁବମନ ଗିଲ୍ ଓ ଅଭିଜ୍ଞ ଇଅନ ମୋର୍ଗାନ ୭୦ ବଲରୁ ଅପରଜିତ ୯୨ ରନ କରି ଦଳକୁ ଜିତାଇଥିଲେ। ଶୁବମନ ୭୦ (୬୨ ବଲ, ୫ ଚୌକା, ୨ ଛକା) ଓ ମୋର୍ଗାନ ୪୨ (୨୯ ବଲ, ୩ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଖଲିଲ ଅହମ୍ମଦ, ରସିଦ ଖାନ୍ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଜନି ବେୟାରଷ୍ଟୋଙ୍କୁ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ବେୟାରଷ୍ଟୋ ମାତ୍ର ୫ ରନ କରିଥିବା ବେଳେ ଲାଇନ୍ ମିସ୍ କରି ପ୍ୟାଟ୍ କୁମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଟାଇମ୍ ଆଉଟ୍ ପରେ ଅନ୍ୟତମ ଓପନର ତଥା ଅଧିନାୟକ ଡେଭିଡ୍ ଓ୍ବାର୍ନର ୨ ଚୌକା ଓ ୧ ଛକା ସହ ୩୬ ରନକରି ଜମି ଆସୁଥିବା ବେଳେ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଫ୍ଲିକ୍ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ବଲ ବ୍ୟାଟ୍ ଅଗରେ ବାଜିଥିଲା ଓ ସିଧା ବରୁଣଙ୍କ ନିକଟକୁ ଯାଇଥିଲା। କୌଣସି ତ୍ରୁଟି ନ କରି ବରୁଣ କ୍ୟାଚ୍ ନେଇଥିଲେ। ଓ୍ବାର୍ନର ଏପର୍ଯ୍ୟନ୍ତ ଚମକ ଦେଖାଇପାରି ନାହାନ୍ତି। ଏହାପରେ ତୃତୀୟ ଉଇକେଟରେ ମନୀଷ ପାଣ୍ଡେ ଓ ରିଦ୍ଧିମାନ ଶାହା ୫୧ ବଲରୁ ୬୨ ରନକରି ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ପାଣ୍ଡେ ୩୮ ବଲରୁ ୩ ଚୌକା ଓ ୨ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଜଙ୍ଘଠାରୁ ଉଚ୍ଚରେ ଥିବା ଏକ ହାଇ ଫୁଲଟସ୍ ବଲ୍କୁ ଖେଳିବାକୁ ଯାଇ ସେ ବୋଲର ଆନ୍ଦ୍ରେ ରସେଲଙ୍କୁ ସିଧା କ୍ୟାଚ୍ ଦେଇ କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହାପରେ ରିଦ୍ଧିମାନ ଲଙ୍ଗ୍ଅଫ୍କୁ ଶଟ୍ମାରି ଦ୍ୱିତୀୟ ରନ ନେବାକୁ ଯାଉଥିବା ବେଳେ ମହମ୍ମନ ନବିଙ୍କ ସହ ଭୁଲ୍ ବୁଝାମଣା ଯୋଗୁ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୦ (୩୧ ବଲ୍, ୧ ଚୌକା, ୧ ଛକା) ରନ ସଂଗ୍ରହ କରିଥିଲେ। ଶେଷରେ ନବି ୧୧ ଓ ଅଭିଷେକ ଶର୍ମା ୨ ରନକରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ କୁମିନ୍ସ, ରସେଲ ଓ ବରୁଣ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୨/୪(ପାଣ୍ଡେ-୫୧, ଓ୍ବାର୍ନର-୩୬, ରିଦ୍ଧିମାନ-୩୦, ନବି- ୧୧*, କୁମିନ୍ସ- ୧/୧୯, ରସେଲ-୧/୧୬, ବରୁଣ ଚକ୍ରବର୍ତ୍ତୀ- ୧/୨୫ )।
କୋଲକାତା ନାଇଟ ରାଇଡର୍ସ ୧୮ ଓଭରରେ ୧୪୫/୩(ନୀତୀଶ- ୨୬, ଶୁବମନ- ୭୦*, ମୋର୍ଗାନ- ୪୨*, ଖଲିଲ- ୧/୨୮ , ନଟରାଜନ-୧/୨୭, ରସିଦ୍- ୧/୨୫)।