Categories: Home Leftଖେଳ

୧୭ରୁ ଆଇପିଏଲ୍‌ ପୁନଃ ଆରମ୍ଭ: ଫେରିବେ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୩ା୫: ଆସନ୍ତା ୧୭ ତାରିଖରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌। ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଲାଗି ବିସିସିଆଇ ଓ ଆଇପିଏଲ୍‌ ଫ୍ରାଞ୍ଚାଇଜ ପକ୍ଷରୁ ବିଦେଶୀ ବୋର୍ଡ ଉପରେ ଚାପ ପକାଯାଉଛି। ବିସିସିଆଇ ପକ୍ଷରୁ ଆଇପିଏଲ୍‌ ସିଓଓ ହେମଙ୍ଗ ଆମିନଙ୍କୁ ବ୍ୟକ୍ତିଗତ ଭାବେ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସହ କଥା ହେବାକୁ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ଅନୁମତି ମିଳିବା ପରେ ବିସିସିଆଇ ପକ୍ଷରୁ ଆଇପିଏଲ୍‌ର ପରିବର୍ତ୍ତିତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିଯୋଗୁ ସମସ୍ତ ୧୦ ଦଳ ସେମାନଙ୍କ ଖେଳାଳିଙ୍କୁ ଏକତ୍ରିତ କରାଇବାକୁ ଉଦ୍ୟମ ଚଳାଇଛନ୍ତି। ବିଶ୍ୱର ସର୍ବବୃହତ ଟି୨୦ ଲିଗ୍‌କୁ ଗତ ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ବିବାଦ କାରଣରୁ ସ୍ଥଗିତ ରଖାଯାଇଥିଲା। ସ୍ଥଗିତ ହେବାର ଦିନକ ପରେ ଦୁଇ ଦେଶ ମଧ୍ୟରେ ସିଜଫାୟାର ଘୋଷଣା ହୋଇଥିଲା। ପରେ ଆଇପିଏଲ୍‌ ପୁନଃ ଆରମ୍ଭ ଲାଗି ବାଟ ଫିଟିଥିଲା।