ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍ ଶେଷ ହେବାର ମାତ୍ର କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ଟୁର୍ନାମେଣ୍ଟ ୨୬ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏବେ ଏହା ୨୮ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
BCCI ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ମାସ ମଧ୍ୟରେ ଭାରତର ୪ଟି ପ୍ରମୁଖ ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଜ୍ୟଗୁଡ଼ିକରେ ଚେନ୍ନାଇ, କୋଲକାତା ଏବଂ ଗୁଆହାଟୀ ଭଳି ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍ ଭେନ୍ୟୁ ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି BCCI ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିବାରେ ବିଳମ୍ବ କରୁଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ହେବାକୁ ଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନୂଆ ତାରିଖ ଉପରେ ଚୂଡ଼ାନ୍ତ ମୋହର ବାଜିବ।
IPL ୨୦୨୬ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ଆରମ୍ଭ ତାରିଖ: ୨୮ ମାର୍ଚ୍ଚ, ୨୦୨୬ (ପୂର୍ବରୁ ୨୬ ମାର୍ଚ୍ଚ ଥିଲା)
ଫାଇନାଲ ମ୍ୟାଚ:୩୧ ମେ, ୨୦୨୬
ନିୟମ ଅନୁଯାୟୀ, ଗତ ସିଜନର ଚାମ୍ପିୟନ ଟିମ ନିଜ ଘରୋଇ ମଇଦାନରେ ପ୍ରଥମ ମ୍ୟାଚ୍ ଖେଳିଥାଏ। ସେହି ହିସାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପ୍ରଥମ ମ୍ୟାଚ୍ ଖେଳିବ। କିନ୍ତୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗତବର୍ଷ RCB ବିଜୟୀ ହେବା ପରେ ଷ୍ଟାଡିୟମ ବାହାରେ ହୋଇଥିବା ଅଘଟଣ (ଭିଡ଼ ଯୋଗୁ ଦଳାଚକଟା) କାରଣରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଠାରେ କ୍ରିକେଟ ମ୍ୟାଚ୍ ଆୟୋଜନ ଉପରେ କଟକଣା ରହିଛି। ଯଦି ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଅନୁମତି ନମିଳେ, ତେବେ ପ୍ରଥମ ମ୍ୟାଚ ଅନ୍ୟ କୌଣସି ସହରକୁ ସ୍ଥାନାନ୍ତର କରାଯାଇପାରେ।