ଲକ୍ଷ୍ନୌ, ୨୭।୫:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୫ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଅଧିନାୟକ ରିଷଭ ପନ୍ତଙ୍କ ଶତକ ସହାୟତାରେ ଲକ୍ଷ୍ନୌ ୨୦ ଓଭରରେ ୩ ଉଇକେଟ ହରାଇ ୨୨୭ ରନ କରିଥିଲା। ପନ୍ତ ୬୧ ବଲ୍ରୁ ୧୧ ଚୌକା ଓ ୮ ଛକା ସହାୟତାରେ ୧୧୮ରନରେ ଅପରାଜିତ ରହିଥିଲେ। ଜବାବରେ ଆରସିବି ୧୮.୪ ଓଭରରେ ୪ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରି ନେଇଥିଲା। ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ (୩୦ ବଲ୍ରୁ ୫୪ ରନ, ୧୦ ଚୌକା) ପରେ କାମଚଳା ଅଧିନାୟକ ଜୀତେଶ ଶର୍ମାଙ୍କ ବିସ୍ଫୋରକ ୮୫* (୩୩ ବଲ୍, ୮ ଚୌକା, ୬ ଛକା) ଓ ମୟଙ୍କ ଅଗ୍ରଓ୍ବାଲଙ୍କ ୪୧ (୨୩ ବଲ) ରନ ବଳରେ ଆରସିବି ଉତ୍କଣ୍ଠିତ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ଫଳାଫଳ ସହ ଆଇପିଏଲ୍ର ପ୍ଲେ-ଅଫ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଆସନ୍ତା ୨୯ ତାରିଖରେ ପଞ୍ଜାବ କିଙ୍ଗ୍ସ ସହ ଆରସିବି କ୍ୱାଲିଫାୟର-୧ ଖେଳିବ। ୩୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏଲିମିନେଟର ଅନୁଷ୍ଠିତ ହେବ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବିର କାମଚଳା ଅଧିନାୟକ ଜୀତେଶ ଶର୍ମା। ଲକ୍ଷ୍ନୌ ସ୍କୋର ୨୫ ଥିବାବେଳେ ୩ୟ ଓଭରର ୪ର୍ଥ ବଲ୍ରେ ମାଥ୍ୟୁ ବ୍ରିଜ୍କେଙ୍କୁ ଆଉଟ କରିଥିଲେ ଥୁଶରା। ମାତ୍ର ଏଥିରୁ ଆରସିବି ବିଶେଷ ଫାଇଦା ଉଠାଇପାରି ନ ଥିଲା। ଓପନର ମିଚେଲ ମାର୍ଶଙ୍କ ସହ ଅଧିନାୟକ ରିଷଭ ପନ୍ତ ଯୋଗଦେଇ ଦ୍ରୁତ ହାରରେ ରନ ସଂଗ୍ରହ ସହ ଇନିଂସକୁ ଆଗେଇ ନେଇଥିଲେ। ପନ୍ତ ଏଠାରେ ମାତ୍ର ୫୪ ବଲ୍ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଶତକ ପୂରଣ କରିଥିଲେ। ଚଳିତ ସିଜନରେ ଏହାଥିଲା ତାଙ୍କର ପ୍ରଥମ ଓ ଆଇପିଏଲ୍ରେ ଦ୍ୱିତୀୟ ଶତକ। ଆରସିବି ପକ୍ଷରୁ ନୂଆନ ଥୁଶରା, ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଆଇପିଏଲ୍ ପ୍ଲେ-ଅଫ୍ କାର୍ଯ୍ୟସୂଚୀ
ମେ ୨୯: କ୍ୱାଲିଫାୟର-୧
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ପଞ୍ଜାବ କିଙ୍ଗ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ମେ ୩୦: ଏଲିମିନେଟର
ଗୁଜରାଟ ଟାଇଟନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ଜୁନ୍-୧: କ୍ୱାଲିଫାୟର-୨
ସ୍ଥାନ: ଅହମଦାବାଦ
ଜୁନ ୩: ଫାଇନାଲ
ସ୍ଥାନ: ଅହମଦାବାଦ
(ସମସ୍ତ ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ)