IPL ୨୦୨୫ ଫସିଲା BCCI: ରୋବୋଟ୍‌ କୁକୁର ଯୋଗୁ ମିଳିଲା ହାଇକୋର୍ଟଙ୍କ ନୋଟିସ, ଏବେ…

ନୂଆଦିଲ୍ଲୀ,୩୦।୪: ଅଡ଼ୁଆରେ ଫସିଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ(ବିସିସିଆଇ)। IPL ମଝିରେ BCCI ତାର ରୋବୋଟ କୁକୁର ଯୋଗୁ ଏକ ନୋଟିସ ପାଇଛି। ଦିଲ୍ଲୀ ହାଇକୋର୍ଟ ଏହି ନୋଟିସ ବିସିସିଆଇକୁ ପଠାଇଛନ୍ତି। ପ୍ରକୃତରେ, BCCI IPL ମ୍ୟାଚ ସମୟରେ କୁକୁର ପରି ଦେଖାଯାଉଥିବା ଏକ ରୋବୋଟ ବ୍ୟବହାର କରୁଛି। ସେ ଟସ୍‌ ସମୟରେ ଦେଖାଯାଇଥାଏ। ଖେଳାଳିଙ୍କ ୱାର୍ମ-ଅପ ସମୟରେ ସେମାନଙ୍କୁ କଭର ମଧ୍ୟ କରେ। ଏହି କୁକୁରର ନାମ ଚମ୍ପକ ରଖାଯାଇଛି ଏବଂ ଏହି ନାମ ବିସିସିଆଇର ବେକରେ କଣ୍ଟା ପାଲଟିଛି।

ଦିଲ୍ଲୀ ହାଇକୋର୍ଟ ବିସିସିଆଇକୁ ନୋଟିସ ପଠାଇଛନ୍ତି। ଏକ ପ୍ରସିଦ୍ଧ ଶିଶୁ ପତ୍ରିକାର ନାମ ମଧ୍ୟ ଚମ୍ପକ ଥିବା ଯୋଗୁ ଏହି କମ୍ପାନୀ ବିସିସିଆଇକୁ ନେଇ ଅଭିଯୋଗ କରିଛି। ଯାହା ପରେ ବିଶ୍ୱର ସବୁଠାରୁ ଧନୀ ବୋର୍ଡକୁ ଏକ ନୋଟିସ ପଠାଯାଇଛି। ଚମ୍ପକ ପତ୍ରିକା ମାମଲାରେ ଦିଲ୍ଲୀ ହାଇକୋର୍ଟ ବିସିସିଆଇଠାରୁ ଜବାବ ମାଗିଛନ୍ତି। ବିସିସିଆଇକୁ ଆଗାମୀ ଚାରି ସପ୍ତାହ ମଧ୍ୟରେ ଏହାର ଲିଖିତ ଉତ୍ତର ଦେବାକୁ ପଡିବ ଏବଂ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୯ ଜୁଲାଇରେ ହେବ। ବିସିସିଆଇ ତା’ର ରୋବୋଟ କୁକୁର ଚମ୍ପକ ନାମ ଦେଇ ଏକ ପଞ୍ଜିକୃତ ଟ୍ରେଡମାର୍କ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ରୋବୋଟ କୁକୁର ଚମ୍ପକର ବିଶେଷତ୍ୱ ହେଉଛି ଏହା ଏକାଧିକ କ୍ୟାମେରା ସହିତ ସଜ୍ଜିତ। ସେ ମ୍ୟାଚ ସମୟରେ ପ୍ରଶଂସକମାନଙ୍କୁ ଏକ ଭିନ୍ନ ଦୃଶ୍ୟ ଦେଖାଇ ପାରେ। ଏହା ବ୍ୟତୀତ ଏହି କୁକୁର ଭିତରେ ଅନେକ ପ୍ରକାରର ସେନ୍ସର ଲଗାଯାଇଛି। ଏହାକୁ ଚାର୍ଜ କରିବାର ଆବଶ୍ୟକତା ନ ଥାଏ। ଏହା ସ୍ବୟଂଚାଳିତ ଭାବରେ ଚାର୍ଜ ହୋଇଯାଏ। ଯଦି ଏହା ପଡ଼ିଯାଏ, ତେବେ ଏହା ନିଜେ ଠିଆ ହୋଇପାରିବ। ଏହା ମ୍ୟାଚ ପୂର୍ବରୁ, ଖେଳାଳିଙ୍କ ଅଭ୍ୟାସ ସମୟରେ ଏବଂ ହାଫ୍‌ ଟାଇମ୍‌ ସମୟରେ ବ୍ୟବହୃତ ହୁଏ। ବିଶେଷ କଥା ହେଉଛି ଏହି ରୋବୋଟ କୁକୁର ଯାହା ବି ଫଟୋ ଏବଂ ଭିଡିଓ ଉତ୍ତୋଳନ କରେ, ସେଗୁଡ଼ିକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍‌ କରିପାରେ। ଏହା ବ୍ୟତୀତ ଏହି କୁକୁର ଖେଳାଳିଙ୍କ ହୃଦସ୍ପନ୍ଦନ ମଧ୍ୟ ପଢ଼ିପାରେ।