IPL ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ୍‌ ଡିଲ୍‌: ଲକ୍ଷ୍ନୌରୁ ଏହି ଟିମ୍‌କୁ ଗଲେ ଶାର୍ଦ୍ଦୁଳ ଠାକୁର

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ମେଗା ଆକ୍ସନ ପୂର୍ବରୁ ବେଶ ଚର୍ଚ୍ଚାରେ ଟ୍ରେଡ ୱିଣ୍ଡୋ। ଗତ କିଛି ଦିନରେ ଟ୍ରେଡ ଡିଲ୍‌କୁ ନେଇ ଅନେକ ଖବର ଆସଥିଲା। ଏସବୁ ମଧ୍ୟରେ ୧୯ମ ସିଜନ୍‌ର ପ୍ରଥମ ଟ୍ରେଡ ଡିଲ୍‌ ଘୋଷଣା କରାଯାଇଛି। ଲକ୍ଷ୍ନୌ ସୁପର୍‌ ଜାୟଣ୍ଟ୍ସ (ଏଲ୍‌ଏସ୍‌ଜି) ଏବଂ ମୁମ୍ବାଇ ଇଣ୍ଡିୟାନ୍ସ (ଏମ୍‌ଆଇ) ମଧ୍ୟରେ ଏକ ରୋଚକ ଡିଲ୍‌ ହୋଇଛି। ଭାରତର ଅନୁଭବୀ ଅଲ୍‌-ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଏବେ ମୁମ୍ବାଇ ଇଣ୍ଡିୟାନ୍ସର ଖେଳାଳି ପାଲଟିଛନ୍ତି। ସେ ପୂର୍ବ ସିଜନ୍‌ରେ ଲକ୍ଷ୍ନୌ ପକ୍ଷରୁ ଖେଳିଥିଲେ।
ମୁମ୍ବାଇ ଇଣ୍ଡିୟାନ୍ସ ଶାର୍ଦ୍ଦୁଳ ଠାକୁରଙ୍କୁ କ୍ୟାଶ୍‌ ଡିଲ ମାଧ୍ୟମରେ କିଣିଛି। ଅର୍ଥାତ ଦୁଇଟି ଟିମ ମଧ୍ୟରେ ଖେଳାଳିଙ୍କର ଅଦଳବଦଳ ହୋଇନାହିଁ, ବରଂ ମୁମ୍ବାଇ ଲକ୍ଷ୍ନୌ ସୁପର୍‌ ଜାୟଣ୍ଟ୍ସଙ୍କୁ ଟଙ୍କା ଦେଇ କିଣିଛି। ଏଥିଲାଗି ଫ୍ରାଞ୍ଚାଇଜ ୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଲକ୍ଷ୍ନୌ ମଧ୍ୟ ଗତ ବର୍ଷ ଶାର୍ଦ୍ଦୁଳ ଠାକୁରଙ୍କୁ ରିପ୍ଲେସମେଣ୍ଟ ଖେଳାଳି ଭାବରେ ୨ କୋଟି ଟଙ୍କାରେ ଚୟନ କରିଥିଲା।
ଆଇପିଏଲ୍‌ ପକ୍ଷରୁ ପ୍ରେସ ରିଲିଜ କରି କୁହାଯାଇଛି, ଦୁଇଟି ଫ୍ରାଞ୍ଚାଇଜ ମଧ୍ୟରେ ହୋଇଥିବା ଚୁକ୍ତି ପରେ, ଲକ୍ଷ୍ନୌ ଅଲ-ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଇଣ୍ଡିୟାନ୍ସ ପକ୍ଷରୁ ଖେଳିବାକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ। ମୁମ୍ବାଇର ଏହି ଅଲ-ରାଉଣ୍ଡରକୁ ଲିଗ୍ର ୧୮ମ ସିଜନ ପାଇଁ ଲକ୍ଷ୍ନୌ ଟିମ୍‌ ରିପ୍ଲେସମେଣ୍ଟ ଭାବରେ ୨ କୋଟି ଟଙ୍କାରେ ଚୟନ କରିଥିଲେ, ଯେଉଁଥିରେ ସେ ୧୦ଟି ମ୍ୟାଚ୍‌ ଖେଳିଥିଲେ। ଏହି ଅଲ-ରାଉଣ୍ଡରକୁ ମୁମ୍ବାଇ ଇଣ୍ଡିୟାନ୍ସ ଏବେ ୨ କୋଟି ଟଙ୍କାରେ ଟ୍ରେଡ କରିଛି।

ଶାର୍ଦ୍ଦୁଳ ଠାକୁର ଆଇପିଏଲ୍‌ରେ ଏବେ ପର୍ଯ୍ୟନ୍ତ ୧୦୫ଟି ମ୍ୟାଚ ଖେଳିଛନ୍ତି। ଏହି ଅବଧିରେ ସେ ୯.୪୦ର ଇକୋନୋମି ରେଟ୍‌ରେ ରନ ଦେଇ ୧୦୭ ଉଇକେଟ ନେଇଛନ୍ତି। ଏହି ଟ୍ରେଡ ପରେ ମୁମ୍ବାଇ ଇଣ୍ଡିୟାନ୍ସର ପେସ ଆକ୍ରମଣ ଆହୁରି ମଜବୁତ ହୋଇଛି, ଯାହା ସେମାନଙ୍କୁ ୨୦୨୬ ସିଜନ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କରିବ। ଶାର୍ଦ୍ଦୁଳଙ୍କ ଅନୁଭବ ଏବଂ ଚାପରେ ପ୍ରଦର୍ଶନ ମୁମ୍ବାଇ ପାଇଁ ବଡ଼ ସମ୍ପଦ ହେବ।

Dharitri – Odisha’s No.1 Odia Daily