Categories: Home Leftଖେଳ

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କାକୁ ଭେନ୍ୟୁ ତାଲିକାରୁ ବାଦ୍‌ ଦିଆଯାଇଛି।

ବିସିସିଆଇ ଅଧିକାରୀ, ଆଇପିଏଲ ଗଭର୍ନିଂ କାଉନ୍ସିଲ ଚେୟାରମ୍ୟାନ, ଆଇପିଏଲ୍‌ ଦାୟିତ୍ୱରେ ଥିବା ବୋର୍ଡର ଆନ୍ତରୀଣ ସିଇଓ ୧୦ ଫ୍ରାଞ୍ଚାଇଜର ମାଲିକଙ୍କୁ ଶନିବାର ଭେଟିଛନ୍ତି। ଏହି ବୈଠକରେ ମୁଖ୍ୟତଃ ଭେନ୍ୟୁ ଉପରେ ଆଲୋଚନା ହୋଇଛି। ଆଇପିଏଲ ଭାରତରେ ଆୟୋଜିତ ହେଉ ବୋଲି ବିସିସିଆଇ ଚାହୁଁ ଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ ଏଥିରେ ଏକମତ ଅଛନ୍ତି। ଯଦି ଏହାକୁ ବିଦେଶ ନେବାକୁ ପଡ଼େ, ତେବେ ଦକ୍ଷିଣ ଆଫ୍ରିକା ସପକ୍ଷରେ ପ୍ରାୟତଃ ଫ୍ରାଞ୍ଚାଇଜ ମତ ରଖିଛନ୍ତି।

ଯଦି ଆଇପିଏଲ ଭାରତରେ ହୁଏ, ତେବେ ଏହା ମୁମ୍ବାଇ ଓ ନବି ମୁମ୍ବାଇ ହୋଇପାରେ। କାରଣ ଏଠାରେ ୩ ଷ୍ଟାଡିୟମ ସାଙ୍ଗକୁ ସମାନ ସଂଖ୍ୟକ ପ୍ରାକ୍ଟିସ ଗ୍ରାଉଣ୍ଡ ଉପଲବ୍ଧ ଅଛି। ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆଇପିଏଲ ଭାରତରେ ହେଉ ନ ହେଲେ ଦକ୍ଷିଣ ଆଫ୍ରିକାରେ ହେଉ ବୋଲି ୪ ଫ୍ରାଞ୍ଚାଇଜ ଚାହୁଁଥିବା ବେଳେ ଗୋଟିଏ ଫ୍ରାଞ୍ଚାଇଜ ଅନୁସାରେ ୟୁଏଇ ଶ୍ରେଷ୍ଠ ବିକଳ୍ପ। ଦୁଇଟି ଫ୍ରାଞ୍ଚାଇଜ ସଂଖ୍ୟା ଗରିଷ୍ଠତା ସହ ଯିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଦୁଇଟି ଫ୍ରାଞ୍ଚାଇଜ ବିସିସିଆଇ ଉପରେ ଏହି ନିଷ୍ପତ୍ତି ଛାଡ଼ିଛନ୍ତି। କୌଣସି ଫ୍ରାଞ୍ଚାଇଜ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ଗଣି ନ ଥିଲେ। ଭେନ୍ୟୁ ଉପରେ ଆଲୋଚନା ପାଇଁ ମେଗା ଅକଶନ ପୂର୍ବରୁ ଆଗାମୀ ସପ୍ତାହ ମଧ୍ୟରେ ବୈଠକ ଡକାଯିବ। ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

“ମୁଁ ଆନନ୍ଦର ସହ ସ୍ପଷ୍ଟ କରୁଛି ଯେ, ୧୫ତମ ସିଜନ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଏହା ମେ’ ଶେଷ ପର୍ଯ୍ୟନ୍ତ ଚାଲିବ। ସର୍ବାଧିକ ସଂଖ୍ୟକ ଫ୍ରାଞ୍ଚାଇଜ ଭାରତରେ ଆଇପିଏଲ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି” ବୋଲି ବିିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି।