Categories: Home Leftଖେଳ

ସେପ୍ଟେମ୍ବର ୩ୟ ସପ୍ତାହରୁ ହୋଇପାରେ ଆଇପିଏଲର ବାକି ମ୍ୟାଚ୍‌

ମୁମ୍ବାଇ, ୨୫।୫ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ବଳକା ମ୍ୟାଚ୍‌ କେବେ ଓ କେଉଁଠାରେ ଆରମ୍ଭ ହେବ? ଏହା ଜାଣିବା ପାଇଁ ଆଇପିଏଲ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ତେବେ ସେମାନଙ୍କ ଅପେକ୍ଷାରେ ଖୁବ୍‌ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ ୟୁଏଇରେ ସେପ୍ଟେମ୍ବର ୧୮ କିମ୍ବା ୧୯ ତାରିଖରୁ ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ଖେଳାଯାଇପାରେ। ୩ ସପ୍ତାହରେ ବଳକା ୩୧ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୦ଟି ଡବଲ ହେଡର ମ୍ୟାଚ୍‌ ରହିବ ଓ ଏହାର ଫାଇନାଲ ମ୍ୟାଚ୍‌ ଅକ୍ଟୋବର ୯ କିମ୍ବା ୧୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ତେବେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।

ସେପ୍ଟେମ୍ବର ୧୮ ରୁ ୨୦ ମଧ୍ୟରେ ଆଇପିଏଲ ଆରମ୍ଭ କରିବା ପାଇଁ ବିସିସିଆଇ ପକ୍ଷରୁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଛି। ୧୮ ତାରିଖ ଶନିବାର ଓ ୧୯ ତାରିଖ ରବିବାର ପଡ଼ୁଥିବାରୁ ସପ୍ତାହନ୍ତରେ ଆଇପିଏଲ ଆରମ୍ଭ ହେବାର ବିଶେଷ ସମ୍ଭାବନା ରହିଛି। କାର୍ଯ୍ୟସୂଚୀରେ ୧୦ଟି ଡବଲ ହେଡର ଓ ୭ଟି ସନ୍ଧ୍ୟା ମ୍ୟାଚ୍‌ ବ୍ୟତୀତ ୪ ମୁଖ୍ୟ ମ୍ୟାଚ୍‌ (ଦୁଇଟି କ୍ୱାଲିଫାୟର୍ସ, ଗୋଟିଏ ଏଲିମିନେଟର ଓ ଫାଇନାଲ) ରହିଛି।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବ। ଏହାର ପର ଦିନ ପୂରା ଭାରତୀୟ ଦଳ ମାଞ୍ଚେଷ୍ଟରରୁ ଏକ ଚାର୍ଟାର୍ଡ ଫ୍ଲାଇଟ୍‌ରେ ପହଞ୍ଚିବ ଦୁବାଇରେ। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସହ ଆଇପିଏଲ ପାଇଁ ଉପଲବ୍ଧ ଥିବା ଇଂଲଣ୍ଡ ଦଳର ସଦସ୍ୟମାନେ ଫ୍ଲାଇଟ୍‌ରେ ରହିବେ। ସେହିଭଳି ସିପିଏଲ ଶେଷ ହେବା ପରେ ଓ୍ବେଷ୍ଟଇଣ୍ଡିଆନ ଖେଳାଳିମାନେ ଦୁବାଇରେ ପହଞ୍ଚିବେ। ୟୁକେ ଓ କାରିବିଆନରୁ ଆସିଥିବା ଖେଳାଳିଙ୍କୁ ୩ ଦିନିଆ କ୍ୱାରେଣ୍ଟରେ ରଖାଯିବ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଯୋଗାଯୋଗ କରାଯାଇଥିବା ଏକ ଫ୍ରାଞ୍ଚାଇଜର ଅଧିକାରୀ ସ୍ପଷ୍ଟ କରିଛନ୍ତି।