Shubman Gill of Kolkata Knight Riders hit the sixes during match 12 of season 13 of the Dream 11 Indian Premier League (IPL) between the Rajasthan Royals and the Kolkata Knight Riders held at the Dubai International Cricket Stadium, Dubai in the United Arab Emirates on the 30th September 2020. Photo by: Saikat Das / Sportzpics for BCCI
ଦୁବାଇ, ୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ରେକର୍ଡ ରନ ଚେଜ୍ କରିଥିବା ରାଜସ୍ଥାନ ରୟାଲ୍ସ ବୁଧବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ନାଇଟ ରାଇଡର୍ସଠାରୁ ଆଶ୍ଚର୍ଯ୍ୟଜନକ ଭାବେ ୩୭ ରନରେ ହାରି ଯାଇଛି। ୧୭୫ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଥିଲା। ୩ ମ୍ୟାଚରୁ ରୟାଲ୍ସର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ଦଳଗତ ପ୍ରଦର୍ଶନ ଯୋଗୁ ନାଇଟ ରାଇଡର୍ସର ବିଜୟ ସମ୍ଭବ ହୋଇଛି। କ୍ରମାଗତ ଦ୍ୱିତୀୟ ବିଜୟ ସହ ଏହି ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ରୟାଲ୍ସ ତୃତୀୟ ସ୍ଥାନକୁ ଖସିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୨୪ ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରିଥିବା ରୟାଲ୍ସ ବ୍ୟାଟ୍ସମ୍ୟାନମାନେ ଏଠାରେ ଆଶ୍ଚର୍ଯ୍ୟଜନକଭାବେ ଫେଲ୍ ମାରିଥିଲେ। ଅଧିନାୟକ ଷ୍ଟିଭ୍ ସ୍ମିଥ ୩, ସଞ୍ଜୁ ସାମସନ ୮, ରବିନ ଉଥପ୍ପା ୨, ରିୟାନ ପରାଗ ୧, ରାହୁଲ ଟଓ୍ବୋଟିଆ ୧୪, ଜୋସ ବଟଲର ୨୧ ରନରେ ଆଉଟ ହେବାରୁ ଦଳ ସହଜରେ ପରାଜୟ ବରଣ କରିଥିଲା। ଟମ୍ କୁରାନ(୫୪ ରନ, ୩୬ ବଲ, ୨ ଚୌକା, ୩ ଛକା) ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। କୋଲକାତା ପକ୍ଷରୁ ଶିବମ୍ ମାଭି, କମଲେଶ୍ ନାଗରକୋଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ପ୍ୟାଟ୍ କୁମିନ୍ସ, ସୁନୀଲ ନାରିନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରୟାଲ୍ସ ଅଧିନାୟକ ଷ୍ଟିଭ୍ ସ୍ମିଥ। କୋଲକାତାର ଦୁଇ ଓପନର ଶୁବମନ ଗିଲ୍ ଓ ସୁନୀଲ ନାରିନ ଆକ୍ରମଣାତ୍ମକ ଆରମ୍ଭ କରିପାରି ନ ଥିଲେ। ଓପନିଂ ଯୋଡ଼ିରେ ୨୯ ବଲ୍ରୁ ୩୬ ରନ ଯୋଗ ହେବାପରେ ନାରିନ ୧୫(୧୪ ବଲ, ୨ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ବିପକ୍ଷ ଦଳର ଜୟଦେବ ଉନାଡକଟ୍ଙ୍କୁ ପ୍ରଥମ ସଫଳତା ମିଳିଥିଲା। ଟପ୍ ଅର୍ଡରରେ ନୀତୀଶ ରାଣା ୨୨ (୧୭ ବଲ, ୨ ଚୌକା, ୧ଛକା) କରିପାରିଥିବାବେଳେ ଶୁବମନ ୪୭(୩୪ ବଲ, ୫ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ମିଡଲ ଅର୍ଡରରେ ଅଧିନାୟକ ଦୀନେଶ କାର୍ତ୍ତିକ ପୁଣି ଫେଲ୍ ମାରିଥିଲେ। ଏଥର ସେ ମାତ୍ର ୧ ରନ କରିଥିବାବେଳେ ଜୋଫ୍ରା ଆର୍ଚରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ କୋଲକାତା ବଡ଼ ସ୍କୋର କରିବାରେ ସକ୍ଷମ ହୋଇ ନ ଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨୪(୧୪ ବଲ, ୩ ଛକା) ରନରେ ଆଉଟ ହେବାରୁ ଦଳକୁ ଶକ୍ତ ଧକ୍କା ହୋଇଥିଲା। ଶେଷ ଭାଗରେ ଇଅନ ମୋର୍ଗାନ ୨୩ ବଲ୍ରୁ ୩୪(୧ ଚୌକା, ୨ ଛକା) ରନ କରିବାରୁ କୋଲକାତା ୨୦ ଓଭରରେ ୬ ଉଇକେଟ ହରାଇ ୧୭୪ ରନରେ ପହଞ୍ଚତ୍ ପାରିଥିଲା। ରୟାଲ୍ସ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ଏବଂ ଜୟଦେବ ଉନାଡକଟ, ରାହୁଲ ଟଓ୍ବୋଟିଆ, ଅଙ୍କିତ ରାଜପୁତ ଓ ଟମ୍ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୪/୬ (ଶୁବମନ-୪୭, ମୋର୍ଗାନ-୩୪*, ରସେଲ-୨୪, ନୀତୀଶ-୨୨, ଆର୍ଚର-୨/୧୮, ଉନାଡକଟ-୧/୧୪, ଟଓ୍ବୋଟିଆ-୧/୬, ଅଙ୍କିତ-୧/୩୯, କୁରାନ-୧/୩୭)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୭/୯ (ଟମ୍ କୁରାନ-୫୪*, ବଟଲର-୨୧, ମାଭି-୨/୨୦, ନାଗରକୋଟି-୨/୧୩, ନାରିନ-୧/୪୦, କୁମିନ୍ସ-୧/୧୩, ବରୁଣ-୨/୨୫, କୁଲଦୀପ-୧/୨୦)।