India's Rohit Sharma walks off for one during the 2019 Cricket World Cup first semi-final between New Zealand and India at Old Trafford in Manchester, northwest England, on July 10, 2019. (Photo by Dibyangshu Sarkar / AFP) / RESTRICTED TO EDITORIAL USE (Photo credit should read DIBYANGSHU SARKAR/AFP via Getty Images)
ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନବମ ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ଆଣିବାକୁ ଚେଷ୍ଟା କରିବ। ଦୁଇଟି ମ୍ୟାଚ୍ ଖେଳି ହାଇଦ୍ରାବାଦ ଦୁଇଟିରେ ପରାଜୟ ବରଣ କରି ଚାପରେ ରହିଛି। ଅପରପକ୍ଷରେ ମୁମ୍ବାଇ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ବରଣ କରିଛି।
ଚେନ୍ନାଇର ଏହି ଟ୍ରାକ୍ରେ ହାଇଦ୍ରାବାଦ ୧୫୦ ରନର ଟାର୍ଗେଟକୁ ଚେଜ୍ କରିବାରେ ବିଫଳ ହୋଇଥିଲା। ହାଇଦ୍ରାବାଦ ତା’ର ଦ୍ୱିତୀୟ ମ୍ୟାଚ୍ରେ ୧୫୦ ରନ ଚେଜ୍ କରି ନ ପାରି ବାଙ୍ଗାଲୋରଠାରୁ ୬ ରନରେ ପରାସ୍ତ ହୋଇଥିଲା। ସେହିପରି ପ୍ରଥମ ମ୍ୟାଚ୍ରେ ୧୮୮ ରନର ପିଛା କରି କୋଲକାତାଠାରୁ ୧୦ ରନରେ ପରାସ୍ତ ହୋଇଥିଲା। ତେଣୁ ଚେଜ୍ କରିବା ଏବେ ହାଇଦ୍ରାବାଦ ପାଇଁ ସମସ୍ୟା ସୃଷ୍ଟି କରିଛି। ଦଳରେ ସାମର୍ଥ୍ୟ ଓ ଗଭୀରତା ନାହିଁ ଓ ବେଞ୍ଚ୍ ଷ୍ଟ୍ରେନ୍ଥ ମଧ୍ୟ ଭଲ ନାହିଁ ବୋଲି କୁହାଯାଇପାରେ। ଏପରି ସ୍ଥଳେ ମୁମ୍ବାଇ ଭଳି ଶକ୍ତିଶାଳୀ ଦଳକୁ ଭେଟିବା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅନ୍ତିମ ଦଳ ଚୟନ ନେଇ ଅଧିନାୟକ ଓ୍ବାର୍ନରଙ୍କ ସମ୍ମୁଖରେ କେତୋଟି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ତିମ ଦଳ ଚୟନରେ ହାଇଦ୍ରାବାଦ ସେତେଟା ପରିପକ୍ୱତା ପ୍ରଦର୍ଶନ କରିନାହିଁ ବୋଲି କେତେକ ଭାବୁଛନ୍ତି। ଦୁଇ ଉଇକେଟକିପର ଜନି ବେୟାରଷ୍ଟୋ ଓ ରିଦ୍ଧିମାନ ଶାହାଙ୍କୁ ଏକାଠି ଖେଳାଇବାର ଅର୍ଥ କିଛି ନାହିଁ। ପୁଣି ରିଦ୍ଧିମାନ ଓପନର ଭାବେ ବିଫଳ ହୋଇଛନ୍ତି। ୨୦୦୮ରୁ ପ୍ରଥମ ସଂସ୍କରଣରୁ ଆଇପିଏଲ୍ ଖେଳୁଥିଲେ ମଧ୍ୟ ରିଦ୍ଧିମାନ ରନ ସଂଗ୍ରହରେ ଆଦୌ ସ୍ଥିରତା ପ୍ରଦର୍ଶନ କରିନାହାନ୍ତି। ସେପଟେ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନ ଓ ଅଭିଜ୍ଞ କେଦାର ଯାଦବ ଡଗ୍ ଆଉଟ୍ରେ ବସିଛନ୍ତି। ତେଣୁ ଦଳରେ ଶାହାଙ୍କ ଭୂମିକା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କେଦାର ଓ ଅଭିଷେକ ଅଫ୍ ବ୍ରେକ୍ ବୋଲିଂ କରିବାର କ୍ଷମତା ରଖନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଓ୍ବାର୍ନର ଓ ରସିଦ ଖାଁ ଖେଳିବା ନିଶ୍ଚିତ ମନେହେଉଛି। ସେହିପରି ଫିଟ୍ନେସ୍ ହାସଲ କରିଥିବା କେନ୍ ଓ୍ବିଲିୟମସନ ଖେଳିବା ନିଶ୍ଚିତ। ସ୍ପିନ୍ ବୋଲିଂକୁ ଖେଳିବାରେ ଓ୍ବିଲିୟମସନ ସିଦ୍ଧହସ୍ତ। ସେହିପରି ମନୀଷ ପାଣ୍ଡେ ଓ ଅବଦୁଲ ସମାଦ ବାଙ୍ଗାଲୋର ବାମହାତୀ ସ୍ପିନର ଶାହାବାଜ ଅହମଦଙ୍କ ବୋଲିଂ କ୍ରସ୍- ବ୍ୟାଟେଡ୍ ଶଟ୍ ଖେଳି ଓ୍ବାର୍ନରଙ୍କୁ ଖୁସି କରିଛନ୍ତି। ପାଣ୍ଡେ ଇତିମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡିଛନ୍ତି। ତେଣୁ ଏତେ ଶୀଘ୍ର ଭାରତୀୟ ଦଳରେ ସେ ସ୍ଥାନ ହାସଲ କରିବାକୁ ଯାଉ ନ ଥିବା ବେଳେ ଏବେ ହାଇଦ୍ରାବାଦ ପାଇଁ ମ୍ୟାଚ୍ ଫିନିଶର ଭୂମିକା ନିଭାଇବାକୁ ପ୍ରୟାସ କରିବେ। ଆଇପିଏଲ ଏବେ ତାଙ୍କୁ ନିଜ ତ୍ରୁଟି ସୁଧାରିବାକୁ ଓ ନିଜର ଦକ୍ଷତା ପ୍ରମାଣ କରିବାକୁ ସୁଯୋଗ ସୃଷ୍ଟି କରିଛି। ୩୦୦୦ ଆଇପିଏଲ୍ ରନ ସଂଗ୍ରହ କରିବାରେ ସେ ଅତ୍ୟନ୍ତ ମନ୍ଥରତା ଅବଲମ୍ବନ କରିଛନ୍ତି। ଚିପକ ଷ୍ଟାଡିୟମରେ ଲେଟ୍ ଖେଳିବା ଓ କ୍ରିଜ୍ର ଡେପ୍ଥରୁ ଫାଇଦା ଉଠାଇବାର ଆବଶ୍ୟକତା ରହିଛି। ଓ୍ବିଲିୟମସନ ଏହା ଅବଶ୍ୟ କରି ଦେଖାଇଛନ୍ତି। ବୋଲିଂରେ ଟି. ନଟରାଜନ ଗତ ସଂସ୍କରଣ ଭଳି ଫର୍ମରେ ନାହାନ୍ତି। ଭୁବନେଶ୍ୱର କୁମାର ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି। ସନ୍ଦୀପ ଶର୍ମା ଓ ସିଦ୍ଧାର୍ଥ କାଉଲ ବିକଳ୍ପ ସୃଷ୍ଟି କରିଥିଲେ ମଧ୍ୟ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ ସେତେଟା ସମସ୍ୟାରେ ପକାଇବେ ନାହିଁ ବୋଲି ମନେହେଉଛି।
ରୋହିତ ଶର୍ମା, କ୍ୱିଣ୍ଟନ ଡିକକ, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ନେଇ ମୁମ୍ବାଇ ଟପ୍ ଅର୍ଡର ବେଶ୍ ଶକ୍ତିଶାଳୀ ମନେହେଉଛି। ମୁମ୍ବାଇ ତା’ର ପ୍ରଥମ ମ୍ୟାଚରେ ବାଙ୍ଗାଲୋରଠାରୁ ୨ ରନରେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ କୋଲକାତାକୁ ୧୦ ରନରେ ହରାଇଥିଲା। ଏହି ବିଜୟ ପରେ ମୁମ୍ବାଇ ତା’ର ଦଳରେ ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ତେବେ ପର୍ଯ୍ୟାପ୍ତ ବିକଳ୍ପ ଥିବାରୁ ମୁମ୍ବାଇ ବ୍ୟାଟିଂ ଲାଇନଅପ୍ରେ ସାମାନ୍ୟ ପରିବର୍ତ୍ତନ କରିପାରେ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ:
ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧବଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷନ, ଯଶପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ ଲିନ୍, ସୌରଭ ତିଓ୍ବାରୀ, ମୋହସିନ ଖାଁ, ଆଡମ ମିଲନେ, ନାଥନ କୁଲଟର ନାଇଲ, ପୀୟୂଷ ଚାଓ୍ବଲା, ମାର୍କ ଜନସନ, ୟୁଧବୀର ସିଂ, ଜେମ୍ସ ନିଶାମ ଓ ଅର୍ଜୁନ ତେନ୍ଦୁଲକର ା
ସନରାଇଜର୍ସ ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍ ଆରମ୍ଭ: ୭.୩୦
ସ୍ଥାନ: ଚେପକ ଷ୍ଟାଡିୟମ, ଚେନ୍ନାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍ସ