ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ ଅନ୍ୟପଟେ ଆରବସମୂହ ରାଷ୍ଟ୍ରଗୁଡିକରୁ ତୈଳ ଓ ଗ୍ୟାସ୍‌ ଯୋଗାଣ ପ୍ରଭାବିତ ହେବା ଘଟଣା ନିବେଶକାରୀଙ୍କୁ ଆଶଙ୍କିତ କରିଦେଇଛି। ଏହାକୁ ନେଇ ଭାରତୀୟ ଶେୟାର ବଜାର ସମେତ ବିଶ୍ୱର ପ୍ରମୁଖ ଶେୟାର ବଜାର ସୋମବାର ଭାରି ମାତ୍ରାରେ ପ୍ରଭାବିତ ହୋଇଛି।
ସୋମବାର ମୁମ୍ବାଇ ଶେୟାର ବଜାରରେ କାରବାର ଆରମ୍ଭ ହେବା ମାତ୍ରେ ବିଭିନ୍ନ କ୍ଷେତ୍ରରୁ ନିବେଶକାରୀ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେବାରୁ ବିଏସ୍‌ଇ ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍ସ ଏବଂ ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ସୂଚକାଙ୍କ ନିଫ୍ଟିରେ ଦ୍ରୁତ ହ୍ରାସ ଘଟିବା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ କାରବାର ସୁଦ୍ଧା ସେନ୍‌ସେକ୍ସରେ ୧୮୦୦ ପଏଣ୍ଟ ହ୍ରାସ ଘଟି ଏହା ୭୯,୭୦୦ ପଏଣ୍ଟକୁ ଖସି ଆସିଥିଲାବେଳେ ନିଫ୍ଟିରେ ୫୦୦ ପଏଣ୍ଟ ହ୍ରାସ ଘଟି ଏହା ୨୪,୬୫୦କୁ ଖସି ଆସିଥିଲା। ବିଶେଷକରି ସ୍ମଲ୍‌ କ୍ୟାପ୍‌ ଏବଂ ମିଡ୍‌କ୍ୟାପ୍‌ ଶେୟାର ଭାରି ମାତ୍ରାରେ ପ୍ରଭାବିତ ହୋଇଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେନ୍‌ସେକ୍ସରେ ୧୦୪୮ ପଏଣ୍ଟ ହ୍ରାସ ଘଟି କାରବାର ଶେଷ ବେଳକୁ ଏହା ୮୦,୨୩୮ ପଏଣ୍ଟରେ ବନ୍ଦ ରହିଛି। ସେହିପରି ନିଫ୍ଟିରେ ୩୧୩ ପଏଣ୍ଟ ହ୍ରାସ ଘଟି ଏହା ୨୪,୮୬୫ ପଏଣ୍ଟରେ ବନ୍ଦ ରହିଛି।

Dharitri – Odisha’s No.1 Odia Daily

Share