ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍ ଏବଂ ଆଲୁମିନିୟମର ଆମଦାନୀ ଉପରେ ୨୫% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏହି ଘୋଷଣାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶା କରାଯାଉଛି।
କହିରଖୁଛୁ, ଟ୍ରମ୍ପ ମଙ୍ଗଳବାର ନଚେତ ବୁଧବାର ଧ୍ୟରେ ଏହି ନୂଆ ଶୁଳ୍କ ନେଇ ଘୋଷଣା କରିପାରନ୍ତି। ଏହାର ସର୍ବାଧିକ କ୍ଷତି ମେକ୍ସିକୋ ଏବଂ ବ୍ରାଜିଲ ଭଳି ଦେଶକୁ ସହିବାକୁ ହେବ। କାନାଡ଼ା, ଦକ୍ଷିଣ କୋରିଆ ଏବଂ ଭିଏତନାମ ଭଳି ଦେଶ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ଆମେରିକା ଭାରତଠାରୁ ସର୍ବାଧିକ ଆଲୁମିନିୟମ ଆମଦାନୀ କରିଥାଏ। ୨୦୨୩ରେ ଭାରତ ଆମେରିକାକୁ ୯୪୭.୫୯ ମିଲିୟନ ଡଲାର ଆଲୁମିନିୟମ ରପ୍ତାନୀ କରିଥିଲା।
୨୦୨୩ରେ ଭାରତ ନିଜର ହିତକୁ ଦୃଷ୍ଟିରେ ରଖି ଆମେରିକା ସହ ଏକ ଚୁକ୍ତି କରିଥିଲା। ଉକ୍ତ ଡିଲ ଅନୁଯାୟୀ ଭାରତଠାରୁ ଆଗାମୀ ୩୩୬,୦୦୦ ଟନ୍ ଆଲୁମିନିୟମ ଉପରେ କୌଣସି ଶୁଳ୍କ ନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ଚୁକ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମୟରେ ହୋଇଥିଲା। ହେଲେ ଏବେ ରାଷ୍ଟ୍ରପତିଙ୍କ ଆସନକୁ ଟ୍ରମ୍ପ ଫେରିଛନ୍ତି। ଏବେ ସେ ଶୁଳ୍କ ଲଗାଇବା ନେଇ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ୨୫% ଶୁଳ୍କ ଲଗାଇଥିଲେ। ଚାଇନା ଉପରେ ମଧ୍ୟ ସେ ୧୦% ଶୁଳ୍କ ଲଗାଇଥିଲେ। ପରେ ଆଲୋଚନା କରିବା ପରେ କାନାଡା ଏବଂ ମେକ୍ସିକୋକୁ ଛାଡ଼ କରାଯାଇଥିଲା।