ଓ୍ବାଶିଂଟନ,୨୯ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ କାର୍ଯ୍ୟକାରିତା ଉପରେ ମାନ୍ହାଟ୍ଟନସ୍ଥିତ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତ ରୋକ୍ ଲଗାଇଛନ୍ତି। ଯେଉଁ ଦେଶଗୁଡ଼ିକ ଆମେରିକାକୁ ଅଧିକ ସାମଗ୍ରୀ ବିକୁଛନ୍ତି ଓ କମ୍୍ ସାମଗ୍ରୀ କିଣୁଛନ୍ତି, ସେମାନଙ୍କ ଉପରେ ଟାରିଫ୍ ଲଗାଇ ରାଷ୍ଟ୍ରପତି ତାଙ୍କ କ୍ଷମତାଠାରୁ ଅଧିକ ପ୍ରୟୋଗ କରୁଥିବା ଅଦାଲତ କହିଛନ୍ତି।
ଟାରିଫ୍ କ୍ଷମତା କାଏମ ରଖିବା ପାଇଁ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଅଦାଲତଙ୍କୁ ନିବେଦନ କରାଯାଇଥିଲା। ଆଇନଗତ ପ୍ରତିବନ୍ଧକ ଯୋଗୁ ଚାଇନା ସହ ବାଣିଜ୍ୟ ଯୁଦ୍ଧର ଦିଗ ବଦଳିବା ସହ ଭାରତ-ପାକିସ୍ତାନ ସଂଘର୍ଷ ପୁଣିଥରେ ଘଟିପାରେ ବୋଲି ପ୍ରଶାସନ ଯୁକ୍ତି ଦର୍ଶାଇଥିଲା।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବେଳେ ଅସ୍ତ୍ରବିରତି ପାଇଁ ଟ୍ରମ୍ପ୍ ଟାରିଫ୍ କ୍ଷମତାକୁ ଅସ୍ତ୍ର କରିଥିବା ଦାବିକରି ଆସୁଛନ୍ତି। ତେବେ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତ ଟ୍ରମ୍ପ୍ ପ୍ରଶାସନର ସମସ୍ତ ଯୁକ୍ତିକୁ ଖାରଜ କରିଦେବା ସହ କଂଗ୍ରେସ ଆଇଇଇପିଏ ଅଧୀନରେ ରାଷ୍ଟ୍ରପତିଙ୍କୁ ଅସୀମ କ୍ଷମତା ଦେଇ ନାହିଁ ବୋଲି କହିଛନ୍ତି। କେବଳ ଜରୁରୀ ସମୟରେ ଅସାଧାରଣ ବିପଦର ମୁକାବିଲା ପାଇଁ ରାଷ୍ଟ୍ରପତି ଆବଶ୍ୟକ ଆର୍ଥତ୍କ କଟକଣା ଲଗାଇପାରିବେ ବୋଲି ୩ ଜଣିଆ ଖଣ୍ଡପୀଠ କହିଛନ୍ତି।