ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। କଳ୍ପନା କରନ୍ତୁ ଯଦି ଆପଣ ଟ୍ରାଫିକ ଜାମ୍ରେ ଫସି ଯାଇଛନ୍ତି ଏବଂ ଆପଣଙ୍କ ପାଖରେ ଏକ ଉଡ଼ନ୍ତା ଗାଡ଼ି ଅଛି ଯାହା ଆପଣଙ୍କୁ ଜାମ୍ରୁ ବାହାର କରିପାରିବ, ତେବେ କ’ଣ ହେବ? ଏହା ସ୍ବପ୍ନ ପରି ଲାଗୁଥାଇ ପାରେ, ହେଲେ ଏକ ଆମେରିକୀୟ ଅଟୋ କମ୍ପାନୀ ଏହା କରି ଦେଖାଇଛି।
ଆମେରିକୀୟ କମ୍ପାନୀ ଆଲେଫ ଏରୋନଟିକ୍ସ ଆକାଶରେ ଉଡ଼ୁଥିବା ଏକ କାରର ପ୍ରଥମ ଭିଡିଓ ଜାରି କରିଛି, ଯାହା ଏକ ବିଜ୍ଞାନ-କଳ୍ପନା ଫିଲ୍ମ ପରି ଦେଖାଯାଉଛି। କାଲିଫର୍ନିଆର ଏହି କାର୍ ନିର୍ମାତା ଏହାର ଇଲେକ୍ଟ୍ରିକ କାର୍ ରାସ୍ତାରେ ଅନ୍ୟ ଏକ କାର୍ ଉପରେ “ଡେଇଁବା”ର ଫୁଟେଜ ଜାରି କରିଛି। ଏହାକୁ ସହରରେ କାର୍ ଚଲାଇବା ଏବଂ ଭର୍ଟିକାଲ ଟେକ୍ ଅପ୍ (ଭୂଲମ୍ବ ଉଡ଼ାଣ) କରିବାର ପ୍ରଥମ ପରୀକ୍ଷଣ ବୋଲି କୁହାଯାଉଛି। ଏହି ପରୀକ୍ଷାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଲୋକମାନେ ଏହାକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି।
କମ୍ପାନୀ ଦ୍ୱାରା ଜାରି ହୋଇଥିବା ଫୁଟେଜରେ କାର୍ଟି ରାସ୍ତାରେ ଛିଡା ହୋଇଥିବା ଏକ କାର୍ ଉପରେ ଡେଇଁ ପଡୁଥିବା ଦେଖାଯାଉଛି। ରାସ୍ତାରେ ଠିଆ ହୋଇଥିବା ଗାଡ଼ିରୁ ଅଳ୍ପ ଦୂରରୁ କାର୍ଟି ସିଧା ଉଡ଼ିଯାଉଛି, ପରେ ଗାଡ଼ି ପାର ହେବା ମାତ୍ରକେ ଏହା ଆଗକୁ ଓହ୍ଲାଇ ପଡ଼ୁଛି।
ପ୍ରୋପେଲର ବ୍ଲେଡ୍ଗୁଡ଼ିକୁ ଆଚ୍ଛାଦିତ କରୁଥିବା ଏକ ଜାଲିଦାର ଶରୀର ସହିତ ବୈଦ୍ୟୁତିକ ପ୍ରଚାଳନ ବ୍ୟବହାର କରି, କାରଟି ଭୂମିରୁ ଉଡ଼ିବାରେ ସକ୍ଷମ ହେଉଛି। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ପରୀକ୍ଷଣ ପାଇଁ ଏକ ପ୍ରୋଟୋଟାଇପ୍ ବ୍ୟବହାର କରିଥିଲା ଯାହା ଆଲେଫ ମଡେଲ ଜିରୋର ଏକ ଅଲ୍ଟ୍ରାଲାଇଟ ସଂସ୍କରଣ ଥିଲା।
ଏହି କାରଟି ଏପର୍ଯ୍ୟନ୍ତ ବଜାରରେ ଲଞ୍ଚ ହୋଇନାହିଁ ଏବଂ ଏହାର ମୂଲ୍ୟ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଆଲେଫ ଆରୋନୋୱିଜଙ୍କ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ ଏବଂ ଏହା ସାଧାରଣ କାର ପରି ରାସ୍ତାରେ ଚାଲିପାରିବ।