ଆଜିକାଲି ସୋସିଆଲ ମିଡିଆରେ ଘିବ୍ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍ଲି ଆର୍ଟକ’ଣ ଓ କେଉଁଠୁ ଆସିଛି?
ଭାରତରେ ଏବେ ସେଲିବ୍ରିଟି, ଇନ୍ଫ୍ଲୁଏନ୍ସରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଘିବ୍ଲି ଆର୍ଟ ଆନିମେଟେଡ୍ ଫଟୋ ଟ୍ରେଣ୍ଡରେ ସାମିଲ ହେଉଛନ୍ତି। ତେବେ ଜାଣନ୍ତି କି ଏହି ଘିବ୍ଲି ଆର୍ଟ ଭାରତର ନୁହେଁ, ଏହାର ଜନ୍ମସ୍ଥାନ ହେଉଛି ଜାପାନରେ। ଆଉ ଏହାର ଜନକ ହେଉଛନ୍ତି ହାୟାଓ ମିୟାଜାକି, ଯାହାଙ୍କୁ କି ଜାପାନୀ ଆନିମେଶନ୍ ଦୁନିଆର ବାଦଶାହ କୁହାଯାଏ। ନିର୍ଦ୍ଦେଶକ ଇଶାଓ ତାକାତାହ ଏବଂ ନିର୍ମାତା ତୋସିଓ ସୁଜୁକିଙ୍କ ସହ ମିଶି ମିୟାଜାକି ଘିବ୍ଲି ଷ୍ଟୁଡିଓ ପ୍ରତିଷ୍ଠାତା କରିଥିଲେ। ଯେଉଁଠି ସେ ଏହି ଆର୍ଟ କରନ୍ତି। ସେ କରିଥିବା ଆନିମେଟେଡ ଫିଲ୍ମଗୁଡ଼ିକୁ ସାରା ପୃଥିବୀରେ ପସନ୍ଦ କରାଯାଇଛି। ଆଉ ହଜାର ହଜାର କୋଟି ଟଙ୍କା ଆୟ ହୋଇଛି। ତାଙ୍କର ସବୁଠାରୁ ଅଧିକ ଆୟ କରିଥିବା ଆନିମେଟେଡ ଫିଲ୍ମ ହେଉଛି ‘ସ୍ପିରିଟେଡ ଅଓ୍ବେ’, ଯାହାକି ୨୩୦୦ କୋଟି ଆୟ କରିଥିଲା।
ଘିବ୍ଲି ଆର୍ଟକୁ ଷ୍ଟୁଡିଓରେ ବେଶ୍ ସତର୍କତା ଓ ସାବଧାନତାର ସହ କରାଯାଏ। ଏଥିପାଇଁ କୌଣସି ଡିଜିଟାଲ ସହାୟତାର ବ୍ୟବହାର କରାଯାଏ ନାହିଁ। ଆଜିକାର ଦୁନିଆରେ ଯେଉଁଠି କମ୍ପ୍ୟୁଟର ଆନିମେଶନ ସାରା ଦୁନିଆକୁ କବଳିତ କରିଛି, ସେ ସମୟରେ ତାଙ୍କର ପ୍ରତ୍ୟେକ ଫ୍ରେମ୍ ପଛରେ ମାନବ କଳାକାରଙ୍କ ପରିଶ୍ରମ ରହିଛି। ପ୍ରାୟତଃ ମିୟାଜାକି ହିଁ ଏହାକୁ କରନ୍ତି।
ଏତେ ପରିଶ୍ରମ ଓ ଭାବଭରା ଏହି ଘିବ୍ଲି ଆର୍ଟକୁ କିନ୍ତୁ ଏବେ କିଛି ଆପ୍ ଜରିଆରେ ଏଆଇ ମାଧ୍ୟମରେ ମାତ୍ର କିଛି ସମୟ ଭିତରେ ପ୍ରସ୍ତୁତ କରାଯାଇପାରୁଛି। ଆଉ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି, ଇନ୍ଫ୍ଲୁଏନ୍ସର ସମସ୍ତେ ନିଜର କିଛି ଖାସ୍ ମୁହୂର୍ତ୍ତର ଫଟୋକୁ ଏହି ଆପ୍ ଜରିଆରେ ଏଆଇ ଦ୍ୱାରା ଘିବ୍ଲି ଆର୍ଟରେ ରୂପାନ୍ତରିତ କରୁଛନ୍ତି। ନିଜର ସେହି କ୍ୟୁଟ୍ କାର୍ଟୁନ୍ ରୂପାନ୍ତର ଏବେ ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ, ସମସ୍ତେ ଚାହୁଁଛନ୍ତି ଏହାକୁ କରିବାକୁ। ହେଲେ ଏହି ଟ୍ରେଣ୍ଡକୁ ନାପସନ୍ଦ କରନ୍ତି ମିୟାଜାକି। ସେ କୁହନ୍ତି, ‘ଏଆଇ ମାଧ୍ୟମରେ ହେଉଥିବା ଏହି ଘିବ୍ଲି ଆର୍ଟ ଟ୍ରେଣ୍ଡ ପାଇଁ ମୁଁ ବହୁତ ନିରାଶ। ଏହା ଘିବ୍ଲି କଳା ପ୍ରତି ଅପମାନ। ମତେ ଲାଗୁଛି ଆଜିକାଲି ମଣିଷର ନିଜ ପ୍ରତି ବିଶ୍ୱାସ କମିବାରେ ଲାଗିଛି। ତେଣୁ ଏଆଇର ସହାୟତା ନିଆଯାଉଛି।’
ଏହି ଟ୍ରେଣ୍ଡକୁ ନେଇ ବିଶେଷଜ୍ଞ କହନ୍ତି,‘ଏହାଦ୍ୱାରା ଲୋକଙ୍କର ବ୍ୟକ୍ତିଗତ ଡାଟା ଚୋରି ହେଉଛି, ଯାହାକି ସାଧାରଣ ଲୋକଙ୍କ ପାଇଁ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହୋଇପାରେ।’