ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ ଫେରିଲା ପରେ ବହିବସ୍ତାନୀ ଫିଙ୍ଗି ଖେଳପଡିଆ ମୁହାଁ ହେଉଥିଲେ। କୋଳାହଳରେ କମ୍ପୁଥିଲା ଖେଳ ପଡିଆ। କିଏ କ୍ରିକେଟ ତ କିଏ ବ୍ୟାଡ୍ମିଣ୍ଟନ ଓ ଆଉ କିଏ ଫୁଟ୍ବଲ ଖେଳରେ ବ୍ୟସ୍ତ ରହୁଥିଲେ ା କିନ୍ତୁ ଆଜିକାଲିକା ପିଲା କେବଳ ମୋବାଇଲ ଦୁନିଆରେ ନିଜକୁ ସୀମିତ ରଖୁଥିବା ଦେଖାଯାଉଛି। ଫଳରେ ଶୂନଶାନ ହୋଇପଡିଛି ଖେଳପଡିଆ। ଆଧୁନିକ ଯୁଗର ସ୍କୁଲ ପିଲା ବହି ଛାଡିଦେଇଥିବା ବେଳେ ଅଧିକରୁ ଅଧିକ ସମୟ ଲାପ୍ଟପ୍, କମ୍ପ୍ୟୁଟର ସହ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପିଲାମାନେ ଆଉ ଖେଳିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ଖୋଲାପଡିଆ ବଦଳରେ ମୋବାଇଲରେ ବିଭିନ୍ନ ଗେମ୍ ଖେଳିବାରେ ସେମାନଙ୍କ ସମୟ ଅତିବାହିତ ହେଉଥିବା ଲକ୍ଷ୍ୟ କରାଯାଉଛି। ପିଲା ବଡ ହେଲା ପରେ ସହାୟକ ପୁସ୍ତକ ପରିବର୍ତ୍ତେ ମୋବାଇଲ ବ୍ୟବହାର କରି ବିଭିନ୍ନ କାରିଗରୀ, କଳା, କୌଶଳ ଆୟତ୍ତ କରୁଛି। ପରବର୍ତ୍ତୀ ସମୟରେ ଗେମ୍ର ବିଭିନ୍ନ ଆପ ଡାଉନଲୋଡ କରି ସମୟ ଅତିବାହିତ କରୁଛି। ତା’ ପାଖରେ ପଡିଆରେ କ୍ରିକେଟ, ଫୁଟ୍ବଲ ଭଳି ଖେଳ ଖେଳିବା ଲାଗି ସତେଯେମିତି ସମୟ ଅଭାବ ପଡିଯାଇଛି।
ଏମାନେ ଯାହା କୁହନ୍ତି…
ବର୍ତ୍ତମାନ ଯୁଗରେ ଯୁବପିଢି ମୋବାଇଲ ଫୋନର ବହୁଳ ବ୍ୟବହାର ସାଙ୍ଗକୁ ଖେଳକୁଦରୁ ନିଜକୁ ଦୂରେଇ ରଖୁଛନ୍ତି। ଏହାଦ୍ୱାରା ଶାରୀରିକ ଓ ମାନସିକ ଠିକ୍ ଭାବରେ ବୃଦ୍ଧି ହୋଇ ପାରୁନାହିଁ। ଆଜିର ଯୁବଗୋଷ୍ଠୀ ଦିନକୁ ଦୁଇଘଣ୍ଟା ଶାରୀରିକ ବ୍ୟାୟାମ କରିବା ସହିତ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ।
-ସରୋଜ କୁମାର ସାହୁ, କ୍ରୀଡାବିତ୍, ନୂଆପଡା।
ନୂଆପିଢିର ପିଲାଙ୍କ ଭିତରେ ଖେଳକୁଦ ପ୍ରତି ସେତେଟା ଆଗ୍ରହ ଦେଖା ଯାଉନାହିଁ ା ଟିକିଏ ସମୟ ପାଇଲେ ମୋବାଇଲ ଫୋନରେ ମସଗୁଲ। ଖେଳ, ଆସନ, ବ୍ୟାୟାମ ମାଧ୍ୟମରେ ପିଲା ସେମାନଙ୍କ ଶରୀରକୁ ହୃଷ୍ଟପୃଷ୍ଟ କରିବା କଥା। ଶାରୀରିକ ସାମଥର୍ୟ କ୍ଷମତା ହାସଲ ନ କଲେ ବହୁତ ଶୀଘ୍ର ବିଭିନ୍ନ ରୋଗର ଶିକାର ହେବାକୁ ପଡେ।
-ପ୍ରସନ୍ନ କୁମାର ପାଢୀ, ଆଇନଜୀବୀ, ନୂଆପଡା
ପୂର୍ବରୁ ଗ୍ରାମାଞ୍ଚଳରେ ପିଲା ସ୍କୁଲ ଯିବା ପୂର୍ବରୁ ଓ ସ୍କୁଲରୁ ଆସିଲା ପରେ କବାଡି, ଡଣାସୁର, ଚୋକନି ସୁର, ବହୁଚୋରି, ମିଥୁଲ, ଗିଲିଦଣ୍ଡା ସହ କ୍ରକେଟ, ବ୍ୟାଡ୍ମିଣ୍ଟନ, ଭଳିବଲ ଆଦି ଖେଳ ଖେଳୁଥିଲେ। ବର୍ତ୍ତମାନ ଏହିସବୁ ପୁରୁଣା ଖେଳ ଛାଡି ମୋବାଇଲରେ ପିଲା ବ୍ୟସ୍ତ ହେବାରୁ କମ ବୟସରେ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିବାରେ ଲାଗିଛି ା
-ରାକେଶ ଜୈନ, ବିଶିଷ୍ଟ କବି ଓ ଲେଖକ, ଖରିଆର ରୋଡ୍
ଆଜିକାଲି ପିଲାମାନେ ସେମାନଙ୍କର ସମ୍ପୂର୍ଣ୍ଣ ସମୟ ମୋବାଇଲ ଓ ଅନଲାଇନ ଗେମ୍ରେ ବିତାଉଛନ୍ତି। ଯାହାଫଳରେ ସେମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରୁନାହିଁ। ପିଲାମାନଙ୍କୁ ଖେଳ ପଡିଆରେ ଖେଳାଯାଉଥିବା ଖେଳ ପ୍ରତି ଆକର୍ଷିତ କରିବା ପାଇଁ ପ୍ରୟାସ କରିବାକୁ ମା’ବାପାଙ୍କୁ ଧ୍ୟାନ ଦେବାକୁ ପଡିବ।
-ସନ୍ତୋଷ ଅଗ୍ରୱାଲ, ମାରୱାଡି ୟୁବାମଞ୍ଚ ଜାଗୃତି ଶାଖା ପୂର୍ବତନ ସଭାନେତ୍ରୀ, ଖରିଆର ରୋଡ ା