ପଦ୍ମପୁରରେ ପାମ୍‌ ଚାଷ ପ୍ରତି ବଢୁଛି ଆଗ୍ରହ: ୨୨୦ ଚାଷୀ ପାମ୍‌ ଚାଷରେ ସାମିଲ

ପଦ୍ମପୁର,୩ା୬(ପ୍ରଦୀପ୍ତ ଦାଶ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ଅଞ୍ଚଳ, ଏଠାରେ ଗଭୀର ନଳକୂପ କିମ୍ବା ଉଠାଜଳସେଚନକୁ ଛାଡ଼ି ଦେଲେ ଜଳସେଚନର ସ୍ଥାୟୀ ସୁବିଧା ନାହିଁ। ଧାନ ଉତ୍ପାଦନରେ ରେକର୍ଡ କରୁଥିବା ବରଗଡ଼ ଜିଲାର ଚାଷୀ ବର୍ତ୍ତମାନ ଅଣଧାନ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ପରିପେକ୍ଷୀରେ ୨୦୧୦-୧୧ ବର୍ଷରୁ ଅନେକ ଚାଷୀ ପାମ୍‌ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ୨୦୨୧-୨୨ ବର୍ଷରେ ବରଗଡ଼ ଜିଲାରେ ୧୩୧ଜଣ ଚାଷୀ ଏହି ଚାଷ ଆରମ୍ଭ କରିଥିବା ବେଳେ ୨୦୨୪-୨୫ବର୍ଷରେ ୨୨୦ଜଣ ଚାଷୀ ପାମ୍‌ ଚାଷରେ ସାମିଲ ହୋଇଛନ୍ତି।
ଏମାନେ କୁହନ୍ତି…..
ମୋର ଓଏଲପାମ ଗଛ ଲଗାଇବାକୁ ମାତ୍ର ୪ ବର୍ଷ ହେଉଛି। ଆଗରୁ ଏହି ୩ ଏକର ଜମିରେ ଧାନ ଚାଷ କରୁଥିଲି ପରେ ଏହାକୁ ସମାନକରି ୧୯୨ ଗୋଟି ପାମ୍‌ ଚାରା ଲଗାଇଲି। ଏଥିସହ ମିଶ୍ରିତ ପରିବା ଚାଷ ମଧ୍ୟ କଲି। ଏବେ ପ୍ରଥମେ ୨ଏକର ଜମିର ଅଏଲପାମ୍‌ ଚାଷରୁ ୧୫୦ଲକ୍ଷ ଟଙ୍କା ବିକ୍ରି କରିସାରିଛି। ଏହି ଚାଷ ପାଇଁ ଉଦ୍ୟାନ ବିଭାଗ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ମଧ୍ୟ ଆର୍ଥିକ ସହାୟତା ମିଳିଛି। ମୁଁ ମାସିକ ୪୦ହଜାର ଲାଭର ଲକ୍ଷ୍ୟ ରଖିଛି।
ନବୀନ ଚନ୍ଦ୍ର ପଧାନ, ଓଏଲପାମ୍‌ ଚାଷୀ, ଚଣ୍ଡିପାଲି

ଓଏଲପାମ୍‌ ଚାଷ କମ୍‌ ଖର୍ଚ୍ଚ ଓ ପରିଶ୍ରମରେ ବେଶି ଲାଭ ମିଳୁଛି। ମୋର ପଡ଼ିଆ ଥିବା ୩ ଏକର ଜମିରେ ଏହି ଚାଷ କରିଛି। ମାତ୍ର ୪ବର୍ଷ ହେଉଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରୁ ଆର୍ଥିକ ସହାୟତା ପାଇବା ସହ ଏହି ଓଏଲପାମ୍‌ ଚାଷ ପାଇଁ ୪ଲକ୍ଷ ଟଙ୍କାର ଏକ ପେକ୍‌ ହାଉସ ମଧ୍ୟ ମିଳିଛି। ଏହା ସହ ମୁଁ ୫/୬ ପରିବାରକୁ କାମ ଦେଉଛି।
ରାକେଶ କୁମାର ରଣା, ଚାଷୀ

ପଦ୍ମପୁର ଅଞ୍ଚଳର ଅନେକ ଚାଷୀଙ୍କୁ ପାମ୍‌ ଚାଷ ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କୁ ସରକାରୀ ପ୍ରୋତ୍ସୋହନ ଦିଆହେଉଛି। ବର୍ତ୍ତମାନ ଗୋଟିଏ ଗଛରୁ ୧୦କୁଇଣ୍ଟାଲ ପର୍ଯ୍ୟନ୍ତ ପାମ ମଞ୍ଜି ଆଦାୟ ହେଉଛି। ଏଥିସହ ମିଶ୍ରିତ ଚାଷ ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଉଛି। ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ୨୨୦୦ହେକ୍ଟର ଜାଗାରେ ଏହି ଚାଷ ହେଉଛି।
ଶିବାନୀ ଭୋଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ପଦ୍ମପୁର
ମୁଁ ପଦ୍ମପୁର ବ୍ଲକ୍‌ ଚଣ୍ଡିପାଲିର ବାସିନ୍ଦା। ଆମେ ଓଏଲ ପାମ୍‌ ବଗିଚାରେ କାମ କରୁ। ମୋଭଳି ଆହୁରି ୫ଜଣ କୃଷି ଶ୍ରମିକ କାମ କରି ପରିବାର ଚଲାଉଛନ୍ତି ।
ବିପିନ ସେଲମା,କୃଷି ଶ୍ରମିକ, ଚଣ୍ଡିପାଲି
ମୁଁ ଆମ ଗାଁରେ ଥିବା ପାମ୍‌ ବଗିଚାରେ କାମକରେ ମୋ ଭଳି ଆଉ ଅନ୍ୟ ୭ ପରିବାରଙ୍କୁ ବର୍ଷ ସାରା କାମ ଦେଇଥାନ୍ତି, ଆମେ ପାମ୍‌ ବଗିଚାର ଯତ୍ନ ସହ ବଗିଚା ଭିତରେ ଥିବା ମିଶ୍ରିତ ଚାଷର ମଧ୍ୟ ଯତ୍ନ ନେଉଛୁ।
ପେଟୁ ବରିହା, କୃଷି ଶ୍ରମିକ