“କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା”: ପୁଟିନଙ୍କୁ ଭଗବଦ୍ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ

ନୂଆଦିଲ୍ଲୀ,୫ା୧୨: ଦୁଇ ଦିନିଆ ଭାରତ ଗସ୍ତରେ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବଦ୍ ଗୀତାର ରୁଷିଆ ସଂସ୍କରଣର ଏକ କପି ଉପହାର ଦେଇଛନ୍ତି।

ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଫଟୋ ସେୟାର କରିଛନ୍ତି ଏବଂ ଏହି ପବିତ୍ର ଗ୍ରନ୍ଥକୁ “ସାରା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ” ବୋଲି ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ରାଷ୍ଟ୍ରପତି ପୁଟିନଙ୍କୁ ଋଷୀୟ ଭାଷାରେ ଗୀତାର ଏକ କପି ଉପହାର ଦେଲି। ଗୀତାର ଶିକ୍ଷା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥାଏ।”

ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତିଙ୍କୁ ଉଷ୍ମ ଅଭିନନ୍ଦନ ଜଣାଇବା ପରେ ଏହି ଉପହାର ଦେଇଥିଲେ। ପରେ ଉଭୟ ନେତା ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନ ପର୍ଯ୍ୟନ୍ତ ଗୋଟିଏ କାରରେ ଯାତ୍ରା କରିଥିଲେ। ଏହା ଉଭୟ ନେତାଙ୍କ ମଧ୍ୟରେ ଥିବା ଦୃଢ଼ ରଣନୀତିକ ଭାଗିଦାରୀ ଏବଂ ଘନିଷ୍ଠ ସମ୍ପର୍କକୁ ଦର୍ଶାଉଛି।

ଚାରି ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ପୁଟିନ ଡିସେମ୍ବର ୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରହିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଏହି ଗସ୍ତ ଦ୍ୱାରା ପ୍ରତିରକ୍ଷା, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ସଂସ୍କୃତି ଓ ମାନବିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share