Categories: Home Leftଖେଳ

ଆବଶ୍ୟକତାରୁ ଜନ୍ମ ନିଏ ନୂତନତ୍ୱ – ପ୍ରମାଣ କଲେ ଭଦ୍ରକ ଚାଷୀ

ଭଦ୍ରକ ଅଫିସ, ୧୯।୩ – କଥାରେ ଅଛି ଆବଶ୍ୟକତାରୁ ଜନ୍ମ ନିଏ ନୂଆ ନୂତନତ୍ୱ। ଏହାକୁ ପ୍ରମାଣ କରି ଦେଖାଇନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଆରସା ଗ୍ରାମର ବିପ୍ଳବ ରଞ୍ଜନ ଦାସ(୩୨)। ବୁଲା ଗୋରୁ ଓ ମାଙ୍କଡ଼ଙ୍କ ଉପଦ୍ରବରୁ ଫସଲକୁ ରକ୍ଷା କରିବା ପାଇଁ ବିପ୍ଳବ ଉଦ୍ଭାବନ କରିଛନ୍ତି ସୌର ତାରବାଡ଼ ଯନ୍ତ୍ର। ଜୀବଜନ୍ତୁମାନେ ଏହାର ସଂସ୍ପର୍ଶରେ ଆସିଲେ ବିଦ୍ୟୁତ୍‌ର ମୃଦୁ ଆଘାତ ପାଇ ସେହି ସ୍ଥାନରୁ ଦୌଡ଼ି ପଳାଇଯିବେ। କିନ୍ତୁ ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ଏକ ସୋଲାର ପ୍ଲେଟ, ଏକ ଛୋଟ ବ୍ୟାଟେରି, ଆବଶ୍ୟକ ଯନ୍ତ୍ରପାତି, କିଛି ବାଉଁଶ ଓ ତାରରେ ସେ ଏହି ଯନ୍ତ୍ର ତିଆରି କରିଛନ୍ତି।

ଯୁବ କୃଷକ ବିପ୍ଳବ କହନ୍ତି, ସେ ପ୍ରଥମେ ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ। ପରିବାର ପ୍ରତିପୋଷଣରେ ଅକ୍ଷମ ହେବାରୁ ସେଠାରୁ ଫେରିଆସି ନିଜ ଘର ପଛପଟେ ଥିବା ୧ ଏକର ଜମିରେ ପରିବା ଚାଷ ଆରମ୍ଭ କରିଥିଲେ। ହେଲେ ବୁଲା ଗୋରୁ ଓ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁ ଫସଲ ନଷ୍ଟ ହୋଇଯାଉଥିଲା। ପରିବାର ଲୋକେ ଦିନରାତି ଫସଲକୁ ଜଗି ରହୁଥିଲେ। ସେ ବହୁ ଚିନ୍ତା କରି ଏହି ସୌରତାରବାଡ଼ ଯନ୍ତ୍ର ଉଦ୍ଭାବନ କରିଛନ୍ତି। ଏହି ଯନ୍ତ୍ରକୁ ତିଆରି କରିବା ପାଇଁ ପ୍ରାୟ ୧୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି।