ଘାସ ପୋଲ

ବିଜ୍ଞାନ ପାଇଁ ଆଜି ଜୀବନ ସହଜ ହୋଇପାରିଛି। କିନ୍ତୁ ଆଜି ବି ଏମିତି କିଛି ଜିନିଷ ଅଛି, ଯାହା ଏହି ଆଧୁନିକ ଯୁଗରେ ବିଜ୍ଞାନକୁ ମାତ୍‌ ଦିଏ। ତା’ର ଏକ ଜୀବନ୍ତ ଉଦାହରଣ ହେଉଛି ଅପୁରିମେକ ନଦୀ ଉପରେ ତିଆରି ହୋଇଥିବା ଘାସ ଦଉଡ଼ିରେ ତିଆରି ପୋଲ। ଏହା ‘ଇନ୍‌କା ରୋପ୍‌ ବ୍ରିଜ୍‌’ ନାମରେ ବି ପରିଚିତ। ଆଶ୍ଚର୍ଯ୍ୟର କଥା ଉକ୍ତ ଘାସର ପୋଲ ୬୦୦ ବର୍ଷ ଧରି ଲୋକଙ୍କ ଯିବା ଆସିବାର ପ୍ରମୁଖ ମାଧ୍ୟମ ପାଲଟିଆସିଛି। ପେରୁର କୁସ୍କୋ ଅଞ୍ଚଳରେ ଥିବା ଉକ୍ତ ପୋଲ ଇନ୍‌କା ସାମ୍ରାଜ୍ୟ ଥିବା ସମୟରେ ତିଆରି ହୋଇଥିବାରୁ ଏହାର ନାମକରଣ ଏଭଳି ହୋଇଛି। ପୋଲକୁ ତିଆରି କରିବା ପାଇଁ ୧୨୦ଟି ଦଉଡ଼ି ବ୍ୟବହାର ହୋଇଛି। ପୁରୁଷମାନେ ଏହାକୁ ତିଆରି କରିଥିଲେ। ଆଉ ମହିଳାମାନେ ନଦୀର ଦୁଇ ପାର୍ଶ୍ୱର ଉଚ୍ଚା ସ୍ଥାନରେ ବସି ଏହି ଦଉଡ଼ି ବୁଣିଥିଲେ। ଦଉଡ଼ି ତିଆରି ପାଇଁ ସ୍ଥାନୀୟ ମଜଭୁତ ଘାସ ‘କୋୟା ଇଚୁ’ର ବ୍ୟବହାର କରାଯାଇଛି। ତଥାପି ଏହା ଏତେ ବର୍ଷ ପରେ ବି ବେଶ୍‌ ଭଲ ଅବସ୍ଥାରେ ଅଛି।