Categories: Home Leftଖେଳ

ବ୍ରିସବେନରେ ଟ୍ରେନିଂ ଆରମ୍ଭ କଲା ସମସ୍ୟାରେ ଘେରି ହୋଇଥିବା ଟିମ୍‌ ଇଣ୍ଡିଆ

ବ୍ରିସବେନ,୧୩।୧: ଆହତ ସମସ୍ୟାରେ ଘେରି ହୋଇଥିବା ଟିମ୍‌ ଇଣ୍ଡିଆ ବ୍ରିସବେନ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୧ ଫିଟ୍‌ ଖେଳାଳିଙ୍କୁ ନେଇ ଫିଲ୍ଡ ଓହ୍ଲାଇବାକୁ ଲକ୍ଷ୍ୟ ରଖି ବୁଧବାର ଟ୍ରେନିଂ ଆରମ୍ଭ କରିଛି ଭାରତୀୟ ଦଳ। ରୋହିତ ଶର୍ମା, ଶୁବମନ ଗିଲ, ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଅନ୍ୟ ଖେଳାଳିମାନଙ୍କ ସହ ବ୍ରିସବେନ ଟେଷ୍ଟ ପୂର୍ବରୁ ପ୍ରଥମ ଟ୍ରେନିଂ ସେସନରେ ଯୋଗ ଦେଇଥିଲେ। ଏ ନେଇ କିଛି ଫଟୋ ଶେୟାର କରି ସୂଚନା ଦେଇଛି ବିସିସିଆଇ। ସିଡ୍‌ନୀ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ପ୍ରତ୍ୟାବର୍ତ୍ତନ ପରେ ପୁଣି ଥରେ ଏକତ୍ରିତ ହେବାକୁ ସମୟ ଆସିଯାଇଛି। ଗାବାଠାରେ ୧୫ରେ  ନିର୍ଣ୍ଣାୟକ ଟେଷ୍ଟ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବିସିସିଆଇ ତା’ର ଟୁଇଟର ହ୍ୟାଣ୍ଡେଲରେ ଲେଖିଛି।

ମାଂସପେଶୀରେ ଆଘାତ ଲାଗିବାରୁ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଯଶପ୍ରୀତ ବୁମରା ଦଳ ସହ ଟ୍ରେନିଂ ସେସନରେ ଯୋଗ ଦେଇଥିଲେ। ତାଙ୍କୁ ବୋଲିଂ କୋଚ୍‌ ଭରତ ଅରୁଣଙ୍କ ସହ କିଛି ଆଲୋଚନା କରିବାକୁ ଦେଖିବାକୁ ମିଳିଛି। ତାଙ୍କ ସ୍ଥାନରେ ଅନ୍ତିମ ଟେଷ୍ଟରେ ଟି. ନଟରାଜନ କିମ୍ବା ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ଜଣଙ୍କୁ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ଚାଇନାମ୍ୟାନ କୁଲଦୀପ ଯାଦବ ନେଟ୍ସରେ ଦୀର୍ଘ ସମୟ ଧରି ବୋଲିଂ କରିଛନ୍ତି। ସେ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି।