SYDNEY, AUSTRALIA - JANUARY 09: Ravindra Jadeja of India looks at his hand after been struck by Mitchell Starc of Australia during day three of the 3rd Test match in the series between Australia and India at Sydney Cricket Ground on January 09, 2021 in Sydney, Australia. (Photo by Jason McCawley - CA/Cricket Australia via Getty Images)
ସିଡ୍ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ କରିବା ଅବସରରେ ଆହତ ହୋଇଛନ୍ତି। ଫଳରେ ଭାରତକୁ ଡବଲ ଝଟ୍କା ଲାଗିଛି। ଜାଡେଜାଙ୍କ ବାମ ହାତ ବୁଢାଆଙ୍ଗୁଠିରେ ବଲ ବାଜିବା କାରଣରୁ ଫାକ୍ଚର ହୋଇଛି। ଫଳରେ ଜାନୁୟାରୀ ୧୫ରୁ ବ୍ରିସ୍ବେନ୍ରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସେହିପରି ପନ୍ତ ଏଲ୍ବୋ ଇଞ୍ଜୁରିର ଶିକାର ହୋଇଥିଲେ ମଧ୍ୟ ଏହା ସେତେଟା ଗୁରୁତର ନୁହେଁ ବୋଲି ଜଣାଯାଇଛି। ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ। ଅଷ୍ଟ୍ରେଲୀୟ ବୋଲରଙ୍କ ଶର୍ଟ ବଲ୍ ଖେଳିବାକୁ ଯାଇ ଏହି ଦୁଇ ଖେଳାଳି ଆହତ ହୋଇଛନ୍ତି ଓ ସ୍କାନ ପାଇଁ ଏହି ଦୁଇ ଖେଳାଳିଙ୍କୁ ହସ୍ପିଟାଲ ନିଆଯାଇଛି।
ପୁଣି ଥରେ ଜାଡେଜା ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ସେ ଏବେ ୨ରୁ ୩ ସପ୍ତାହ ବିଶ୍ରାମ ନେବେ। ଫଳରେ ସେ ଅନ୍ତିମ ଟେଷ୍ଟରୁ ବାଦ୍ ପଡିବେ। ତେବେ ପନ୍ତଙ୍କ ଇଞ୍ଜୁରି ସେତେଟା ଗୁରୁତର ନ ଥିବାରୁ ସେ ବ୍ୟାଟିଂ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୋର୍ଡ ତରଫରୁ କୁହାଯାଇଛି। ପ୍ୟାଟ୍ କୁମିନ୍ସଙ୍କ ଏକ ଶର୍ଟ ବଲକୁ ଖେଳିବା ବେଳେ ପନ୍ତ ଏଲ୍ବୋରେ ଆଘାତ ପାଇଥିଲେ। ଆଇସିସି ନୂଆ ନିୟମ ଅନୁସାରେ ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହା ପନ୍ତଙ୍କ ବଦଳରେ କିପିଂ କରିଥିଲେ। ସେହିପରି ମିଚେଲ ଷ୍ଟାର୍କଙ୍କ ଶର୍ଟ ବଲ ଜାଡେଜାଙ୍କ ହ୍ୟାଣ୍ଡ ଗ୍ଲୋଭ୍ସରେ ବାଜିଥିଲା। ଏବେ ସ୍କାନ ପାଇଁ ତାଙ୍କୁ ନିଆଯାଇଛି। ତାଙ୍କ ବାମ୍ ବୁଢା ଆଙ୍ଗୁଠି ଫୁଲି ଯାଇଛି। ଟିମ୍ ଫିଜିଓ ଆଙ୍ଗୁଠିରେ ପଟି ବାନ୍ଧିଛନ୍ତି। ଏହାପରେ ସେ କେତୋଟି ବଲ ଫିଙ୍ଗିଥିଲେ। ତେବେ ଆଉ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ଉଲ୍ଲେଖଥାଉ କି, ସିଡ୍ନୀ ଟେଷ୍ଟ ଖେଳିବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆହତ ହୋଇ ସିରିଜରୁ ବାଦ୍ ପଡିସାରିଛନ୍ତି। ପୁଣି ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଏବେ ଘରେ ରହିଛନ୍ତି। ଫଳରେ ଭାରତର ସମସ୍ୟା ଦ୍ୱିଗୁଣିତ ହୋଇଛି।