ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଜି.ଉଦୟଗିରି,୧୩।୧(ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସ୍ତରରେ ସ୍ବଚ୍ଛ ଏବଂ ହରିତ୍‌ ରେଟିଂ ପୁରସ୍କାର ପାଇଁ ରାଜ୍ୟ ଚୟନ କମିଟି ଦ୍ୱାରା ମନୋନୀତ। ସୂଚନା ଅନୁସାରେ ଗତ ବର୍ଷ ରାଜ୍ୟର ୨୩୮ ଟି ବିଦ୍ୟାଳୟକୁ ଏକ ରାଜ୍ୟ ଚୟନ କମିଟି ଦ୍ୱାରା ସ୍ବଚ୍ଛତା, ପରିବେଶ ସୁରକ୍ଷା, ହରିତ୍‌ ପ୍ରକଳ୍ପ, ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ପରିଷ୍କାର ଓ ପରିଚାଳନା ସହ ଉତ୍ତମ ପରିବେଶ ଆଧାରରେ ସବିଶେଷ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ପରେ ୨୦ଟି ବିଦ୍ୟାଳୟକୁ ଚୟନ କରାଯାଇଥିଲା। ସେଥିମଧ୍ୟରୁ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରି ୯୪.୯୬ ପଏଣ୍ଟ ସହ ୫ ଷ୍ଟାର୍‌ ରେଟିଂ ପାଇ ଜାତୀୟ ସ୍ବଚ୍ଛ ଏବଂ ହରିତ୍‌ ବିଦ୍ୟାଳୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ନେଇ ସ୍ଥାନୀୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମିହିର କାନ୍ତ ପ୍ରଧାନ ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପାଇବା ପରେ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ଶିଶିର ପଟ୍ଟନାୟକ,ପ୍ରତିଷ୍ଠାତା ସମ୍ପାଦକ କେ.ସୂର୍ଯ୍ୟନାରାୟଣ ପାତ୍ର ଛାତ୍ରୀଙ୍କ ସମେତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି। ଏହି ସଫଳତା ସମସ୍ତ ଛାତ୍ରୀ,ଅଭିଭାବକ ତଥା ଅନୁଷ୍ଠାନର  ଅଧ୍ୟକ୍ଷ ଶିବରାମ ସାହୁ,ବରିଷ୍ଠ ଅଧ୍ୟାପିକା ଡ଼. ବବିତା ରାଣୀ ପଟ୍ଟନାୟକ, ଅଧ୍ୟାପିକା ମିନତୀ ଦାଶ, ଅଧ୍ୟାପିକା ସୁଧାରାଣୀ ପାତ୍ର, ଅଧ୍ୟାପିକା ସସ୍ମିତା ଦାଶଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କ ପରିଶ୍ରମର ଫଳ ବୋଲି ପ୍ରକାଶ କରିଛନ୍ତି। ଏହି ଗୌରବଜନକ ସଫଳତା ପାଇଁ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ସବୁ ଆଡୁ ଅଭିନନ୍ଦନର ସୁଅ ଛୁଟିଛି ।

Dharitri – The Largest & Most Trusted Odia Daily

Share