ନୂଆଦିଲ୍ଲୀ,୫ା୧୨: ଭାରତର ବୃହତ୍ତମ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋରେ ଅପରେସନାଲ ସମସ୍ୟା ହେତୁ ସାରା ଦେଶର ବିମାନବନ୍ଦରଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏହି ସମସ୍ୟା ଯୋଗୁଁ ୫୦୦ରୁ ଅଧିକ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଅନେକ ଯାତ୍ରୀ ୧୨ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଲଗେଜ୍ ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କୁ ଖାଦ୍ୟ କିମ୍ବା ପାଣି ମଧ୍ୟ ମିଳିନଥିଲା। ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ହଜାର ହଜାର ସୁଟକେସ୍ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ ତଳେ ଶୋଇ ରହିଥିଲେ ଏବଂ ଅସନ୍ତୋଷ ପ୍ରକାଶ କରି ଏୟାରଲାଇନ୍ସ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ଯାତ୍ରୀମାନେ ଏହି ପରିସ୍ଥିତିକୁ ଇଣ୍ଡିଗୋ ଦ୍ୱାରା “ମାନସିକ ନିର୍ଯାତନା” ବୋଲି କହିଛନ୍ତି। ସେମାନଙ୍କୁ କର୍ମଚାରୀଙ୍କ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ବ୍ୟତୀତ ହାଇଦ୍ରାବାଦ ଏବଂ ଗୋଆ ବିମାନବନ୍ଦରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ହାଇଦ୍ରାବାଦରେ ଉତ୍ତ୍ୟକ୍ତ ଯାତ୍ରୀମାନେ ଖାଦ୍ୟ ଓ ରହିବା ସୁବିଧା ନପାଇବାରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏୟାର ଇଣ୍ଡିଆର ଏକ ବିମାନକୁ ଅଟକାଇ ଦେଇଥିଲେ। ଗୋଆ ବିମାନବନ୍ଦରରେ ମଧ୍ୟ ଯାତ୍ରୀ ଓ ଇଣ୍ଡିଗୋ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
କ୍ରୁ ସଦସ୍ୟଙ୍କ ଅଭାବ, ବୈଷୟିକ ସମସ୍ୟା ଏବଂ ଶୀତକାଳୀନ ପାଗ ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଛି ବୋଲି ଇଣ୍ଡିଗୋ ସ୍ୱୀକାର କରିଛି। କେବଳ ଗୁରୁବାର ଦିନ ହିଁ ୫୫୦ରୁ ଅଧିକ ବିମାନ ବାତିଲ ହୋଇଥିଲା।
ଏହି ବ୍ୟାପକ ଅସୁବିଧା ପାଇଁ ଇଣ୍ଡିଗୋ ଗତକାଲି ରାତିରେ ଯାତ୍ରୀମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ସେବାକୁ ସ୍ୱାଭାବିକ କରିବା ପାଇଁ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ବାତିଲ ଜାରି ରହିବ ବୋଲି କମ୍ପାନୀ ସତର୍କ କରାଇଛି ଏବଂ ଡିସେମ୍ବର ୮ ତାରିଖରୁ ବିମାନ ଚଳାଚଳ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।