ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍ ଏବଂ ବୟସ୍କଙ୍କ ପାଇଁ ଡିପ୍ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ଶୁଭାରମ୍ଭ କରିଛନ୍ତି।
ଏଣିକି ସାର୍ବଜନିକ ଟିକାକରଣ କାର୍ଯ୍ୟକ୍ରମ(ୟୁଆଇପି)ରେ ଡିପ୍ଥେରିଆ ଟିକାକୁ ସାମିଲ କରାଯିବ। ଏପ୍ରିଲ ସୁଦ୍ଧା ୟୁଆଇପିକୁ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ୫୫ ଲକ୍ଷ ଡୋଜ୍ ଯୋଗାଇଦେବ।
କେନ୍ଦ୍ର ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ପାଇଁ ଆଗାମୀ ଦିନରେ ଅଧିକ ପରିମାଣରେ ଟିକା ପ୍ରସ୍ତୁତ କରାଯିବ ବୋଲି ନଡ୍ଡା କହିଛନ୍ତି।
ଡିପ୍ଥେରିଆ ଟିକା ଲଞ୍ଚ୍ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଅବସର ବୋଲି ସେ କହିବା ସହ ଇନ୍ଷ୍ଟିଚ୍ୟୁଟ୍ର ବୈଜ୍ଞାନିକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।