ସ୍ବଦେଶୀ ମେସେଜିଂ ଆପ୍‌ ଆରାଟ୍ଟାଇ: ଡାଉନଲୋଡ୍‌ କଲେଣି ୭୫ ଲକ୍ଷ

ନୂଆଦିଲ୍ଲୀ, ୬ା୧୦ (ପି.ଟି.): ଜୋହୋ କର୍ପୋରେଶନ ଦ୍ୱାରା ପ୍ରସ୍ତୁତ ମେଡ୍‌ ଇନ୍‌ ଇଣ୍ଡିଆ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ଆରାଟ୍ଟାଇ’କୁ ଶୁକ୍ରବାର ସୁଦ୍ଧା ୭୫ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍‌ କରିଛନ୍ତି। ଏନେଇ ରବିବାର ଜୋହୋ କର୍ପୋରେଶନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ କିଛିଦିନ ହେଲା ଏହି ସ୍ବଦେଶୀ ଆପ୍‌କୁ ଖୋଲାଖୋଲି ସମର୍ଥନ କରିବା ସହ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ଆରାଟ୍ଟାଇ ଆପ୍‌ ଡାଉନ୍‌ଲୋଡ କରିବାକୁ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ନିବେଦନ କରିଥିଲେ। ଏହା ପରଠାରୁ ଆରାଟ୍ଟାଇକୁ ଡାଉନଲୋଡ୍‌ କରୁଥିବା ୟୁଜର୍ସଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଖୁବ୍‌ଶୀଘ୍ର ଆରାଟ୍ଟାଇ ଆପ୍‌ ଭାରତରେ ହ୍ବାଟ୍ସଆପ୍‌ର ବିକଳ୍ପ ଭାବେ ଉଭା ହୋଇପାରେ। ଏହି ଆପ୍‌ରେ ଭଏସ୍‌ ଆଣ୍ଡ୍‌ ଟେକ୍ସଟ୍‌ ମେସେଜିଂ, ଇମେଜ୍‌ ଆଣ୍ଡ୍‌ ଡକ୍ୟୁମେଣ୍ଟ ଶେୟାରିଂ, ଅଡିଓ-ଭିଡିଓ କଲ୍‌ ଏବଂ ୧,୦୦୦ ସଦସ୍ୟ ପର୍ଯ୍ୟନ୍ତ ଗ୍ରୁପ୍‌ ଚାଟ୍‌ ଭଳି ଫିଚର୍ସ ରହିଛି। ତାମିଲ ଭାଷାରେ ଆରାଟ୍ଟାଇର ଅର୍ଥ ହେଉଛି କାଜୁଆଲ କମ୍ୟୁନିକେଶନ ବା ଅନୌପଚାରିକ କଥୋପକଥନ। ତେଣୁ ସାଧାରଣ ଏବଂ ଅନୌପଚାରିକ କଥାବାର୍ତ୍ତା ବା ଚାଟିଂ ପାଇଁ ଏହି ଆପ୍‌ ଉଦ୍ଦିଷ୍ଟ ବୋଲି ଜୋହୋ କର୍ପୋରେଶନ ପକ୍ଷରୁ କୁହାଯାଇଛି।