Categories: ଖେଳ

ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

କଲମ୍ବୋ, ୨୭ା୪: ଓପନର ପ୍ରତୀକା ରାଓ୍ବଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସ୍ମୃତି ମନ୍ଧାନା ଓ ହାର୍ଲିନ ଦେଓଲଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ କଲମ୍ବୋରେ ଚାଲିଥିବା ଅନ୍ତର୍ଜାତୀୟ ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ଓପନିଂ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କାକୁ ୯ ଉଇକେଟରେ ପରାସ୍ତ କରିଛି।

ପ୍ରବଳ ବର୍ଷାଯୋଗୁ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚକୁ ୩୯ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୮.୧ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା। ହସିନୀ ପେରେରା ୪୬ ବଲ୍‌ରୁ ୩୦ ଓ କାମିଶା ଦିଲ୍‌ହରା ୨୬ ବଲ୍‌ରୁ ୨୫ ରନ କରିଥିଲେ। ଦଳର ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନ ଥିଲେ।

ଭାରତ ପକ୍ଷରୁ ସ୍ନେହ ରାଣା (୩/୩୧), ଶ୍ରୀ ଚାରାନୀ (୨/୨୬) ଓ ଦୀପ୍ତି ଶର୍ମା (୨/୨୨) ଚମତ୍କାର ବୋଲିଂ କରି ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଭାରତ ୧୪୮ରନର ବିଜୟ ଲକ୍ଷ୍ୟକୁ୨୯.୪ ଓଭରରେ ୧ ଉଇକେଟ ବିନିମୟରେ ହାସଲ କରି ନେଇଥିଲା। ପ୍ରତୀକା (୫୦*) ଓ ମନ୍ଧାନା (୪୩) ଓପନିଂ ଉଇକେଟରେ ୫୪ରନ ଯୋଗ କରିଥିଲେ। ଦିଲ୍ଲୀ ୟଙ୍ଗଷ୍ଟର ବ୍ୟାଟର ପରେ ହାର୍ଲିନ (୪୮*)ଙ୍କ ସହ ଅପରାଜିତ ୯୫ରନ ଯୋଗ କରି ଦଳକୁ ଜିତାଇଥିଲେ। ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିହତଙ୍କ ସମ୍ମାନାର୍ଥେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ରବିବାର ମ୍ୟାଚରେ ହାତରେ କଳା ରଙ୍ଗର ଆର୍ମବ୍ୟାଣ୍ଡ ପିନ୍ଧି ଖେଳିଥିଲେ।

Share