ଭାରତର ବାଣିଜ୍ୟିକ ନିଅଣ୍ଟ ୩୨.୧୫ ବିଲିୟନ୍‌ ଡଲାର

ନୂଆଦିଲ୍ଲୀ,୧୬ା୧୦ (ରଏଟର୍ସ/ପି.ଟି.): ୨୦୨୫ ସେପ୍ଟେମ୍ବରରେ ଭାରତର ବାଣିଜି୍ୟକ ନିଅଣ୍ଟ ୩୨.୧୫ ବିଲିୟନ୍‌ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଗତ ୧୩ ମାସରେ ସର୍ବାଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ତଥ୍ୟରୁ ଏହା ଜଣାପଡ଼ିଛି। ଆମେରିକାର ୫୦% ଟାରିଫ୍‌ ସହ ସୁନା ଓ ରୁପାରେ ରେକର୍ଡ ଆମଦାନୀ ଯୋଗୁ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ଏତେମାତ୍ରାରେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ଅଗଷ୍ଟରେ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫% ଆମଦାନୀ ଶୁଳ୍କ ସହ ରୁଷୀୟ ତୈଳ କ୍ରୟ ବାବଦକୁ ଅତିରିକ୍ତ ୨୫% ଜରିମାନା କଷିଥିଲେ। ଦେଶର ବାଣିଜି୍ୟକ ନିଅଣ୍ଟ ଉପରେ ଏହାର ପ୍ରଭାବକୁ ବାଣିଜ୍ୟ ମନ୍ତ୍ରଣାଳୟର ଡେଟା ଦର୍ଶାଇଛି। ତଦନୁସାରେ ଆମେରିକାକୁ ଅଗଷ୍ଟରେ ୬.୮୭ ବିଲିୟନ୍‌ ଡଲାର ସାମଗ୍ରୀ ରପ୍ତାନି କରାଯାଇଥିବାବେଳେ ସେପ୍ଟେମ୍ବରରେ ଏହା ୫.୪୩ ବିଲିୟନ୍‌ ଡଲାରକୁ ହ୍ରାସ ପାଇଥିଲା। ବିଶେଷକରି ଟେକ୍ସଟାଇଲ୍ସ, ଚିଙ୍ଗୁଡ଼ି, ମୁକ୍ତା ଓ ଅଳଙ୍କାର ରପ୍ତାନି ଅଧିକ ହ୍ରାସ ପାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ଆମଦାନୀ ୩.୬ ବିଲିୟନ୍‌ ଡଲାରରୁ ୩.୯୮ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ବାଣିଜ୍ୟ ସଚିବ ରାଜେଶ ଅଗ୍ରଓ୍ବାଲ କହିଛନ୍ତି, ବିଶ୍ୱ ବଜାରରେ ଅଡ଼ୁଆ ସ୍ଥିତି ସତ୍ତ୍ୱେ ଭାରତର ରପ୍ତାନିରେ ଗତିଶୀଳତା ବଜାୟ ରହିଛି। କିନ୍ତୁ ସେପ୍ଟେମ୍ବରରେ ଆମଦାନୀ ଅଧିକ ରହିଥିଲା, ଯାହାକି ସୁନା, ରୁପା, ସାର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ଷେତ୍ରରେ ସର୍ବାଧିକ ଦେଖିବାକୁ ମିଳିଥିଲା। ଭାରତ ଓ ଆମେରିକା ଆସନ୍ତା ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟ୍ରେଡ୍‌ ଡିଲ୍‌ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଚାଲିଛି। ଆଲୋଚନା ଆଗକୁ ବଢ଼ାଇବା ପାଇଁ ଭାରତର ଏକ ପ୍ରତିନିଧି ଦଳ ଓ୍ବାଶିଂଟନ୍‌ ଗସ୍ତରେ ରହିଛି। ରପ୍ତାନିକାରୀମାନେ ଟାରିଫ୍‌ ଚ୍ୟାଲେଞ୍ଜକୁ ସାମ୍ନା କରି ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଆମେରିକାକୁ କରାଯାଉଥିବା ପ୍ରାୟ ୫୫% ଭାରତୀୟ ରପ୍ତାନି ଆମେରିକୀୟ ଟାରିଫ୍‌ ଯୋଗୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ସେପ୍ଟେମ୍ବର ପରଠାରୁ ଏହି ଶୁଳ୍କର ପ୍ରଭାବ ଅନୁଭୂତ ହେବ।
ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତର ସାମଗ୍ରୀ ରପ୍ତାନି ପୂର୍ବବର୍ଷର ୨୧୩.୬୮ ବିଲିୟନ୍‌ ଡଲାରରୁ ୨୨୦.୧୨ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। କିନ୍ତୁ ଏହି ଅବଧିରେ ଆମଦାନୀ ୩୫୮.୮୫ ବିଲିୟନ୍‌ ଡଲାରରୁ ୩୭୫.୧୧ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିବାରୁ ବାଣିଜି୍ୟକ ନିଅଣ୍ଟର ବ୍ୟବଧାନ ବଢ଼ିଥିବା କୁହାଯାଉଛି।
ଗତ ମାସରେ ସୁନା ଆମଦାନୀ ୯.୬ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା, ଯାହାକି ଅଗଷ୍ଟରେ ୫.୪ ବିଲିୟନ୍‌ ଡଲାର ରହିଥିଲା। ସେହିପରି ତୈଳ ଆମଦାନୀ ପୂର୍ବମାସରେ ୧୩.୨ ବିଲିୟନ୍‌ ଡଲାର ଥିବାବେଳେ ସେପ୍ଟେମ୍ବରରେ ୧୪ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା। ବାଣିଜି୍ୟକ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଥିବାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୮୯ ଟଙ୍କାର ନିକଟତର ହୋଇଛି।