ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଭାରତ ୧୦ ଗିଗାଓ୍ବାଟ୍‌ ହାଇଡ୍ରୋପାଓ୍ବାର ପ୍ରକଳ୍ପ କରିବାକୁ ଯୋଜନା ଚଳାଇଛି। ବ୍ରହ୍ମପୁତ୍ର ତିବ୍ଦତରୁ ଅରୁଣାଚଳ ଦେଇ ଆସାମ ଓ ବାଂଲାଦେଶକୁ ଯାଇଛି। ଚାଇନା ପ୍ରକଳ୍ପ ଭାରତରେ ସମ୍ଭାବ୍ୟ ମରୁଡ଼ି କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟିକରିବାର ଆଶଙ୍କା ରହିଛି। ଏଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ଅରୁଣାଚଳରେ ଏକ ବଡ଼ ଡ୍ୟାମ ନିର୍ମାଣ କରାଯିବ।
ଜଳ ସମ୍ପଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଟି.ଏସ୍‌. ମେହରା କହିଛନ୍ତି, ଡ୍ୟାମ୍‌ ନିର୍ମାଣ ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାର ସବୁଜ ସଙ୍କେତ ଦେଲେ କାର୍ଯ୍ୟ ଆଗେଇ ଚାଲିବ। ଏହି ଡ୍ୟାମ୍‌ ନିର୍ମାଣ କରାଗଲେ ଚାଇନାର ପ୍ରସ୍ତାବିତ ଡ୍ୟାମ୍‌ ଯୋଜନା ଭାରତ ଉପରେ ସେଭଳି ପ୍ରଭାବ ପକାଇପାରିବ ନାହିଁ। ପ୍ରକାଶଥାଉ କି, ସୋମବାର ଚାଇନା ବ୍ରହ୍ମପୁତ୍ର ନଦୀରେ ୬୦ ଗିଗାଓ୍ବାଟ୍‌ର ହାଇଡ୍ରୋପାଓ୍ବାର ପ୍ରକଳ୍ପ କରିବା ଲାଗି ଯୋଜନା କରୁଥିବା କହିଥିଲା। ଏହାକୁ ନେଇ ଭାରତ ଓ ବାଂଲାଦେଶ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଥିଲା। ଭାରତ ଏହାର ପ୍ରତିକାର ଲାଗି ପଦକ୍ଷେପ ଆରମ୍ଭ କରିଛି। ସୀମା ବିବାଦକୁ ନେଇ ଭାରତ- ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଏବେ ଡ୍ୟାମ୍‌ ନିର୍ମାଣ ପରିସ୍ଥିତିକୁ ଅଧିକ ବିଗାଡ଼ିବ ବୋଲି ଆଶଙ୍କା କରାଯାଉଛି।

Share