ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଗୁରୁବାର ଶୁଭାରମ୍ଭ କରିଛନ୍ତି।
ସ୍ବଚ୍ଛ ଓ ସ୍ଥାୟୀ ଅନ୍ତର୍ଦେଶୀୟ ଜଳ ପରିବହନ ଦିଗରେ ଏହା ଏକ ବଡ଼ ସଫଳତା। ଉକ୍ତ ଜାହାଜର ବ୍ୟବସାୟିକ ଚଳାଚଳକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ହାଇଡ୍ରୋଜେନ୍ ଚାଳିତ ଜାହାଜ ଭାରତର ବର୍ଦ୍ଧିତ ବୈଷୟିକ ସାମର୍ଥ୍ୟ ଏବଂ ସ୍ଥାୟୀ ଇନ୍ଧନ ପାଇଁ ଏହାର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି।
ଏହା କେବଳ ଏକ ପ୍ରଯୁକ୍ତିଗତ ଅଗ୍ରଗତି ନୁହେଁ, ବରଂ ସ୍ବଚ୍ଛ ଇନ୍ଧନ ଏବଂ ସ୍ବଦେଶୀ ସମାଧାନ ଦିଗରେ ଆତ୍ମବିଶ୍ୱାସର ସହ ଭାରତ ଅଗ୍ରସର ହେଉଛେ ବୋଲି ସୋନୋଓ୍ବାଲ କହିଛନ୍ତି। ଏହି ସଫଳତା ସହ ଭାରତ ହାଇଡ୍ରୋଜେନ୍ଚାଳିତ ଜାହାଜ ଥିବା ଅଳ୍ପ କେତୋଟି ଦେଶ ତାଲିକାରେ ନିଜକୁ ସାମିଲ କରିଛି। ବର୍ତ୍ତମାନ କେବଳ ଚାଇନା, ନରଓ୍ବେ, ନେଦରଲାଣ୍ଡସ୍ ଏବଂ ଜାପାନରେ ଏଭଳି ଜାହାଜ ଚଳାଚଳ କରୁଛି।