ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪। ପାକ୍‌ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ରହିଛି। ସୀମା ନିକଟରେ ହୋଇଥିବାରୁ ଏହା ‘ଭାରତର ପ୍ରଥମ ଡାକଘର’ ବୋଲି ସାଇନ୍‌ବୋର୍ଡରେ ଲେଖାଅଛି। ବାରମୁଲ୍ଲା ଡିଭିଜନ ପୋଷ୍ଟ ଅଫିସଗୁଡ଼ିକର ସୁପରିଣ୍ଟେଣ୍ଡେଣ୍ଟ ଥିବା ଅବଦୁଲ ହମିଦ କୁମାର କହିଛନ୍ତି, ପୂର୍ବରୁ ଏହା ଶେଷ ପୋଷ୍ଟ ଅଫିସ ଭାବେ ଜଣାଶୁଣା ଥିଲା, କାରଣ ସେଠାକୁ କୌଣସି ଆଦାନପ୍ରଦାନ ହୋଇପାରୁ ନ ଥିଲା। ଏହା ଏଲ୍‌ଓସି ନିକଟରେ ହୋଇଥିବାରୁ ପରେ ସୈନ୍ୟବାହିନୀ ଏହାର ନାଁ ପ୍ରଥମ ପୋଷ୍ଟ ଅଫିସ ରଖିଥିଲା। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଭାରତ ସ୍ବାଧୀନ ହେବା ଏବଂ ପାକିସ୍ତାନ ଗଠନ ହେବା ପୂର୍ବରୁ ସେଠାରେ ଡାକଘର ଚାଲୁଥିଲା। ଏପରିକି ୧୯୬୫ ଏବଂ ୧୯୭୧ ଯୁଦ୍ଧ ବେଳେ ମଧ୍ୟ ଉକ୍ତ ଡାକଘର ଚିଠିପତ୍ର ଆଦାନ ପ୍ରଦାନ ବନ୍ଦ କରି ନ ଥିଲା। ୧୯୯୦ରେ ଏଲ୍‌ଓସିରେ ପାକିସ୍ତାନୀ ସମର୍ଥତ୍ତ ଆତଙ୍କବାଦୀଙ୍କ ବାରମ୍ବାର ସୀମାପାର ସେଲ୍‌ ମାଡ଼ ସତ୍ତ୍ୱେ ଡାକଘର କେବେ ବନ୍ଦ ହୋଇ ନ ଥିଲା ବୋଲି ପୋଷ୍ଟମାଷ୍ଟର ଶାକିର ଭଟ୍ଟ କହିଛନ୍ତି। ୨୦୨୧ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ପୂର୍ବରୁ ଚିଠିପତ୍ର ସଂଗ୍ରହ କରିବା ଓ ବାଣ୍ଟିବାକୁ ଯିବାରେ ବିପଦ ଥିଲା। ଏବେ ଆମେ ଶାନ୍ତି ଅନୁଭବ କରୁଛୁ ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଆସିବା ଚାହୁଛୁ ବୋଲି ଭଟ୍ଟ କହିଛନ୍ତି। ୧୯୯୩ରେ କେରନ ସେକ୍ଟରରେ ବନ୍ୟା ଯୋଗୁ ଡାକଘର ଧୋଇଯାଇଥିଲା। ଏହା ପରେ ପୋଷ୍ଟ ମାଷ୍ଟର ଭଟ୍ଟଙ୍କ ଘରେ ଡାକଘର ଚାଲିଥିଲା। ଏଥିପାଇଁ ସେ ଭଡ଼ା ନେଉ ନ ଥିଲେ ବୋଲି କହିଛନ୍ତି। ତାଙ୍କ ସହ ୩ ଜଣ ଡାକବାଲା କାମ କରୁଥିଲେ ଓ ବହୁ ଦୂର ପର୍ଯନ୍ତ ସେବା ଯୋଗାଉଥିଲେ। ତେବେ ନିର୍ଭରଯୋଗ୍ୟ ଯୋଗାଯୋଗ ସୁବିଧା ଅଭାବରୁ ଅନ୍ୟ ପୋଷ୍ଟ ଅଫିସ ଭଳି ଏହା ଅନ୍‌ଲାଇନ ସେବା ଯୋଗାଇପାରି ନାହିଁ। ଅନ୍ୟପକ୍ଷରେ କୁପଓ୍ବାରାର ଡେପୁଟି କମିଶନର ଆୟୁଷି ସୁଦାନ କହିଛନ୍ତି, ଯୋଗାଯୋଗ ସମସ୍ୟାରେ ସୁଧାର ଆସୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ଅପ୍ଟିକାଲ ଫାଇବର କେବୁଲ କାମ ଶେଷ ହୋଇଯିବ ବୋଲି ସେ କହିଛନ୍ତି।