ମୁମ୍ବାଇ,୩ା୩: ଇରାନ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର ହେବା ସହ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ୟୁଏଇ ସମେତ ସାଉଦି ଆରବ, କାତାର ଏବଂ କୁଏଟ୍ ଆଦି ଦେଶ ଉପରେ ଇରାନ ଆକ୍ରମଣ କରିବାରୁ ଏହିସବୁ ଦେଶରେ ରହିଥିବା ଅନେକ ହଜାର ଭାରତୀୟ ଆଶଙ୍କିତ ହୋଇପଡ଼ିଥିଲେ। ଦୁବାଇ, ଆବୁଧାବି ସମେତ ଅନ୍ୟ ବହୁ ସହରରେ ଭାରତୀୟମାନେ ସ୍ବଦେଶ ଫେରିବାକୁ ଲମ୍ବାଧାଡ଼ି ଲଗାଇଥିଲେ ହେଁ ସ୍ବଦେଶ ଫେରିବା ସମ୍ଭବ ହୋଇ ନଥିଲା। ତେବେ ସୋମବାର ୟୁଏଇ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିମାନରେ ଭାରତୀୟମାନଙ୍କୁ ସ୍ବଦେଶ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁବାଇ ଏବଂ ଆବୁଧାବିରୁ ଭାରତୀୟମାନଙ୍କୁ ନେଇ ୪ ବିମାନ ଦିଲ୍ଲୀ, ମୁମ୍ବାଇ, କୋଚି ଓ ବେଙ୍ଗାଲୁରୁରେ ପହଞ୍ଚିଛି। ମଙ୍ଗଳବାର ଇଣ୍ଡିଗୋର ୧୦ ବିମାନ ଭାରତୀୟମାନଙ୍କୁ ନେଇ ଜିଦାହରୁ ଭାରତର ବିଭିନ୍ନ ସହର ଅଭିମୁଖେ ଆସିବ ବୋଲି କୁହାଯାଇଛି।