ନୂଆଦିଲ୍ଲୀ, ୨୨ା୯ (ପି.ଟି.): ଭାରତୀୟ ଛାତ୍ରୀଛାତ୍ରଙ୍କ ବିଦେଶରେ ପଢ଼ିବା ଆଗ୍ରହରେ ପରିବର୍ତ୍ତନ ଆସିଛି। ଆଇଡିପି ଏଜୁକେଶନ ପକ୍ଷରୁ ରବିବାର ଜାରି ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ବର୍ଷକ ମଧ୍ୟରେ ୪୬.୪% ହ୍ରାସ ପାଇଛି। ସେହିପରି କାନାଡାରେ ଏହି ହାର ୨ ବର୍ଷ ମଧ୍ୟରେ ୭୦ରୁ ୭୫% କମିଛି। ଆଇଡିପି ଏଜୁକେଶନର ଦକ୍ଷିଣ ଏସିଆ, କାନାଡା, ଲାଟିନ ଆମେରିକା (ଏଲ୍ଏଟିଏଏମ୍) ଆଞ୍ଚଳିକ ନିର୍ଦ୍ଦେଶକ ପୀୟୂଷ କୁମାର କହିଛନ୍ତି, ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳରେ ବିଭିନ୍ନ ନୀତିଗତ ପରିବର୍ତ୍ତନ ଏବଂ ଭିଜା ନିୟମାବଳୀରେ ଅନିଶ୍ଚିତତା ଯୋଗୁ ସେଠାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଯୋଜନା ପ୍ରଭାବିତ ହୋଇଛି। ୨୦୨୪ ଜୁନ୍ ପରଠାରୁ ଭାରତୀୟ ଛାତ୍ରୀଛାତ୍ରଙ୍କ ଭିଜା ଅନୁମୋଦନ ହାର ହ୍ରାସ ପାଇଛି। ଏହାର ପ୍ରଭାବରେ ଦେଶର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ୪୬.୪% ହ୍ରାସ ପାଇଛି। ସେହିପରି ଆମେରିକା ଟାରିଫ ଯୋଗୁ କାନାଡାର ନିମ୍ନଗାମୀ ଅର୍ଥନୀତି ଆଦି କାରଣରୁ ସେଠାରେ ପଢ଼ିବାର ଆଗ୍ରହ କମିଛି। ତେବେ ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ପ୍ରତି ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆକର୍ଷଣ ପୂର୍ବବର୍ଷ ପରି ସ୍ଥିର ରହିଛି। ଅଷ୍ଟ୍ରେଲିଆରେ ଚଳିତବର୍ଷ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ୯% ବୃଦ୍ଧି ଘଟିଛି। ଅଷ୍ଟ୍ରେଲିଆରେ ଉଚ୍ଚଶିକ୍ଷା ଅଧ୍ୟୟନ କଲେ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ ବୋଲ ସେମାନଙ୍କର ଭରସା ଥିବା ପୀୟୂଷ କହିଛନ୍ତି। ଅଷ୍ଟ୍ରେଲିଆ ସରକାର ୧୯୬୯ରେ ଆଇଡିପି ସ୍ଥାପନ କରିଥିଲେ। ଶିକ୍ଷାକ୍ଷେତ୍ରରେ ଏହା ଏକ ବୈଶ୍ୱିକ ସଂସ୍ଥା, ଯାହା ପ୍ରତିବର୍ଷ ୧ ଲକ୍ଷ ଛାତ୍ରୀଛାତ୍ରଙ୍କୁ ୮୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସାହାଯ୍ୟ କରିଥାଏ। ଏହାର ନେଟ୍ଓ୍ବର୍କ ଅଷ୍ଟ୍ରେଲିଆ, ବ୍ରିଟେନ୍, ଆମେରିକା, କାନାଡା, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରହିଛି। ଭାରତର ୬୩ ସହରରେ ଆଇଡିପିର ୭୩ଟି କାର୍ଯ୍ୟାଳୟ ରହିଛି।