ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଅଧିନାୟକ ହରମନପ୍ରୀତ କୌର ଦଳର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଜର୍ସି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।
ଗତ ରବିବାର ନଭି ମୁମ୍ବାଇରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ମହିଳା କ୍ରିକେଟରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ ଟାଇଟଲ୍ ହାସଲ କରିଛି।
ରାଷ୍ଟ୍ରପତି ମୁର୍ମୁ ଦଳକୁ ତାଙ୍କର ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଖେଳାଳିମାନେ କେବଳ ଇତିହାସ ସୃଷ୍ଟି କରିନାହାଁନ୍ତି, ବରଂ ଯୁବପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, “ଏହି ଦଳ ଭାରତକୁ ପ୍ରତିଫଳିତ କରୁଛି। ସେମାନେ ବିଭିନ୍ନ ଅଞ୍ଚଳ, ବିଭିନ୍ନ ସାମାଜିକ ପୃଷ୍ଠଭୂମି, ବିଭିନ୍ନ ପରିସ୍ଥିତିରୁ ଆସିଛନ୍ତି, କିନ୍ତୁ ସେମାନେ ଗୋଟିଏ ଦଳ – ଭାରତ।” ଏହି ସାକ୍ଷାତ ସମୟରେ ଅଧିନାୟକ କୌର ବିଶ୍ୱକପ୍ ଟ୍ରଫିକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଦେଖାଇଥିଲେ।