Categories: Home Leftଖେଳ

ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ, ପୁରୁଷଙ୍କୁ ରୌପ୍ୟ

ଚେନ୍ନାଇ: ଏସିଆନ୍‌ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ ଏବଂ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ମହିଳା ଦଳର ସଦସ୍ୟା ଭାବରେ ଓଡ଼ିଶାର ପଦ୍ମିନୀ ରାଉତ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ସେ ବୋର୍ଡ ପ୍ରାଇଜ୍‌ଭାବେ ରୌପ୍ୟ ପଦକ ହାସଲ କରିଥିଲେ। ଅର୍ଥାତ୍‌ ପ୍ରତିଯୋଗିତାରୁ ସେ ଗୋଟିଏ ଲେଖାଏ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ଭାରତୀୟ ମହିଳା ଦଳ ୬-୨ ବ୍ୟବଧାନରେ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା। ମାତ୍ର ଭାରତୀୟ ପୁରୁଷ ଦଳ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୩.୫-୪.୫ ବ୍ୟବଧାନରେ ଅଷ୍ଟ୍ରେଲିଆଠାରୁ ହାରିଯିବାରୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ମହିଳା ଫାଇନାଲରେ ପିଭି ନନ୍ଧିଧା ଭାରତକୁ ପ୍ରଥମ ପଏଣ୍ଟ ଦେଇଥିବାବେଳେ ପଦ୍ମିନୀ ମଧ୍ୟ ଚମତ୍କାର ପ୍ରଦର୍ଶନ ବଜାୟ ରଖି ପ୍ରତିପକ୍ଷ ମେଦିନା ଓ୍ବାର୍ଦା ଆଉଲିଆଙ୍କୁ ପରାସ୍ତ କରିଥିଲେ। ଫର୍ମରେ ଥିବା ଆର. ବୈଶାଳୀ ଓ ଅଧିନାୟିକା ମାରି ଆନ୍‌ ଗୋମ୍ସ ଡ୍ର ରଖିବାରୁ ପ୍ରଥମ ମ୍ୟାଚ ଶେଷ ବେଳକୁ ସ୍କୋର ୩-୧ ପଏଣ୍ଟ ରହିଥିଲା। ଦ୍ୱିତୀୟ ମ୍ୟାଚରେ ବୈଶାଳୀ ହାରି ଯାଇଥିଲେ ହେଁ ଭକ୍ତି କୁଲକର୍ନୀ, ପଦ୍ମିନୀ ଓ ନନ୍ଧିଧା ବିଜୟ ହାସଲ କରି ଭାରତକୁ ଗର୍ବିତ କରିଥିଲେ।