FC Goa players celebrate during match 109 of the 7th season of the Hero Indian Super League between FC Goa and Hyderabad FC held at the Fatorda Stadium, Goa, India on the 28th February 2021 Photo by Vipin Pawar / Sportzpics for ISL
ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସେସନରେ ଏଫ୍ସି ଗୋଆ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍ ଏଫ୍ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡିଛି। ସ୍ଥାନୀୟ ଫଟୋର୍ଡା ଷ୍ଟାଡିୟମ୍ରେ ରବିବାର ଗୋଆ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ। ପ୍ଲେ ଅଫ୍ରେ ସ୍ଥାନ ହାସଲ ପାଇଁ ଗୋଆ ୧ ପଏଣ୍ଟ ଆବଶ୍ୟକ କରୁଥିବା ବେଳେ ଅତିକମ୍ରେ ମ୍ୟାଚ୍ ଡ୍ର ରଖିବା ଜରୁରୀ ଥିଲା। ଅନ୍ୟପଟେ ହାଇଦ୍ରାବାଦ୍କୁ ବିଜୟ ସହ ୩ ପଏଣ୍ଟ ଆବଶ୍ୟକ ହେଉଥିଲା। କିନ୍ତୁ ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ଓ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଥିଲେ।
ଗୋଆ ମୋଟ ଉପରେ ୨୦ଟି ମ୍ୟାଚ୍ ଖେଳି ୭ ବିଜୟ, ୧୦ ଡ୍ର, ୩ ପରାଜୟ ସହ ୩୧ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିଛି। କୋଚ୍ ଜୁଆନ ଫର୍ନାଣ୍ଡୋଙ୍କ ଗୋଆ କ୍ରମାଗତ ୧୩ଟି ମ୍ୟାଚ୍ରେ ଅପରାଜେୟ ରହି ଆଇଏସ୍ଏଲ୍ରେ ନୂଆ ରେକର୍ଡ କରିଛି। ଅନ୍ୟପଟେ ହାଇଦ୍ରାବାଦ ୨୦ଟି ମ୍ୟାଚ୍ ଖେଳି ୬ ବିଜୟ, ୧୧ ଡ୍ର ଓ ୩ ପରାଜୟ ସହ ୨୯ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଥିସହ ଗୋଆ କ୍ରମାଗତ ଚତୁର୍ଥ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦର ପ୍ରଦର୍ଶନ ଏହି ମ୍ୟାଚ୍ରେ ଉଚ୍ଚକୋଟୀର ରହିଥିଲେ ମଧ୍ୟ ଗୋଆକୁ ରୋକିବାରେ ସକ୍ଷମ ହୋଇପାରିନାହିଁ।
ହାଇଦ୍ରାବାଦ ମଧ୍ୟ କ୍ରମାଗତ ୧୨ଟି ମ୍ୟାଚ୍ରେ ଅପରାଜେୟ ରହିଛି। ତେବେ ହାଇଦ୍ରାବାଦ୍କୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ହାଇଦ୍ରାବାଦ ଦଳରେ କେତେଜଣ ତାରକା ଖେଳାଳି ନ ଥିଲେ। ଦଳ ପାଇଁ ନିୟମିତ ଭାବେ ସ୍କୋର କରୁଥିବା ଆରିଡେନ୍ ସାଣ୍ଟାନା ଓ ଚିଙ୍ଗ୍ଲେନସାନା ଏହି ମ୍ୟାଚ୍ରେ ଅନୁପସ୍ଥିତ ଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଗୋଆ ହାଇଦ୍ରାବାଦ୍ଠାରୁ ଆଗରେ ଥିଲା ଓ ପ୍ରଭାବ ବିସ୍ତାର କରି ଖେଳିଥିଲା। ୮୪ତମ ମିନିଟ୍ରେ ହାଇଦ୍ରାବାଦ ଗୋଲ ସ୍କୋର କରିବାର ଏକ ବଡ଼ ସୁଯୋଗ ପାଇଥିଲା। ଗୋଆର ଡିଫେନ୍ସକୁ ଭେଦ କରିବାରେ ହାଇଦ୍ରାବାଦ ବିଫଳ ହୋଇଥିଲା। ଗୋଆ ପ୍ଲେ ଅଫ୍ରେ ସ୍ଥାନ ହାସଲ କରିଥିବାରୁ କୋଚ୍ ଜୁଆନ ଫର୍ନାଣ୍ଡୋ ଖୁସି ଜାହିର କରିଛନ୍ତି।