Roy Krishna of ATKMB score goal during match 84 of the 7th season of the Hero Indian Super League between Odisha FC and ATK Mohun Bagan held at the GMC Stadium Bambolim, Goa, India on the 6th February 2021 Photo by Deepak Malik / Sportzpics for ISL
ବାମ୍ବୋଲିମ୍,୭।୨: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ପୁଣି ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି କର ବା ମର ମ୍ୟାଚ୍ରେ ଓଡ଼ିଶା ଏଟିକେ ମୋହନ ବାଗାନଠାରୁ ୪-୧ ଗୋଲରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଏଥିସହିତ ଓଡ଼ିଶା ୧୫ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୯ ପରାଜୟ ସହ ମାତ୍ର ୮ ପଏଣ୍ଟ ହାସଲ କରି ତାଲିକାର ସର୍ବନିମ୍ନ ୧୧ତମ ସ୍ଥାନରେ ରହିଛି। ଅପରପକ୍ଷରେ ଏହି ଦମ୍ଦାର ବିଜୟ ସହ ମୋହନ ବାଗାନ ୧୫ ମ୍ୟାଚ୍ ଖେଳି ୯ ବିଜୟ, ୩ ଲେଖାଏ ଡ୍ର ଓ ପରାଜୟ ସହ ୩୦ ପଏଣ୍ଟ ହାସଲ କରି ତାଲିକାରେ ମୁମ୍ବାଇ ସିଟି ଏଫ୍ସି ତଳକୁ ରହି ଦ୍ୱିତୀୟ ସ୍ଥାନରେ ରହିଛି।
ମୋହନ ବାଗାନ ସମ୍ପୂର୍ଣ୍ଣ ଭାବେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ତରଫରୁ ମନବୀର ସିଂ ୧୧ ଓ ୫୪ତମ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ରଏ କ୍ରିଷ୍ଣା ୮୩ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଲ ଦେବା ଫଳରେ ୮୬ ତମ ମିନିଟରେ ଏକ ଫିଲ୍ଡ ଗୋଲ ଜରିଆରେ ଦଳକୁ ବୃହତ୍ ବିଜୟ ପ୍ରଦାନ କରିଥିଲେ। ଅନ୍ୟପଟେ ଓଡ଼ିଶା ତରଫରୁ କୋଲ ଆଲେକଜାଣ୍ଡର ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍ରେ ଏକମାତ୍ର ଗୋଲ ଦେଇଥିଲେ। ମ୍ୟାଚ୍ରେ କିନ୍ତୁ ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଓଡ଼ିଶା ଆଗରେ ରହିଥିଲା। ଏହି ପରାଜୟ ସହ ଓଡ଼ିଶାର ନକ୍ଆଉଟ ଆଶା କ୍ଷୀଣ ହୋଇଛି। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ରେ ୧୧ ତାରିଖ ଗୁରୁବାର କେରଳ ବ୍ଲାଷ୍ଟର୍ସକୁ ଭେଟିବ। ସେହିପରି ମୋହନ ବାଗାନ ୯ ତାରିଖ ମଙ୍ଗଳବାର ବେଙ୍ଗାଲୁରୁକୁ ଭେଟିବ।