Deshorn Dwayne Brown of NorthEast United FC celebrate his goal during match 76 of the 7th season of the Hero Indian Super League between Mumbai City FC and NorthEast United FC held at the GMC Stadium, Bambolim, Goa, India on the 30th January 2021 Photo by Arjun Singh / Sportzpics for ISL
ବାମ୍ବୋଲିମ୍, ୩୧।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇର କ୍ରମାଗତ ୧୨ଟି ମ୍ୟାଚ୍ର ଅପରାଜେୟ ଧାରାରେ ବ୍ରେକ୍ ଲାଗିଛି।
ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ମାତ୍ର ୩ ମିନିଟ୍ ମଧ୍ୟରେ ନର୍ଥଇଷ୍ଟର ଡେଶୋର୍ନ ବ୍ରାଉନ୍ ୨ଟି ଗୋଲ ସ୍କୋର କରି ପ୍ରଥାମାର୍ଦ୍ଧରେ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ବ୍ରାଉନ ଷଷ୍ଠ ଓ ଦଶମ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇର ଆଡାମ ଲେ ଫୋଣ୍ଡ୍ରେ ୮୫ତମ ମିନିଟ୍ରେ ଗୋଲ ଦେଇ ଦଳକୁ ମ୍ୟାଚ୍କୁ ଫେରାଇଥିଲେ। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ୍ ଖେଳ ହୋଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ନର୍ଥଇଷ୍ଟ ବାଜି ମାରିଥିଲା। ମ୍ୟାଚ୍ରେ କିନ୍ତୁ ମୁମ୍ବାଇ ଅପେକ୍ଷାକୃତ ଭଲ ଖେଳି ପ୍ରଭାବ ବିସ୍ତାର କରିଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ନର୍ଥ ଇଷ୍ଟଠାରୁ ମୁମ୍ବାଇ ଯଥେଷ୍ଟ ଆଗରେ ରହିଥିଲା। ଏହି ବିଜୟ ସହ ନର୍ଥଇଷ୍ଟ ୧୪ଟି ମ୍ୟାଚ୍ ଖେଳି ୫ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ପରାସ୍ତ ହୋଇଥିଲେ ମଧ୍ୟ ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୯ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ୩୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍ ୩ ତାରିଖ ବୁଧବାର କେରଳ ବ୍ଲାଷ୍ଟର୍ସକୁ ଭେଟିବ। ଅନ୍ୟପଟେ ନର୍ଥଇଷ୍ଟ ତା’ର ପରବର୍ତ୍ତୀ ମ୍ୟାଚ୍ରେ ୪ ତାରିଖ ବୁଧବାର ଗୋଆକୁ ଭେଟିବ।