NorthEast United FC players celebrates after scoring a goal during match 17 of the 7th season of the Hero Indian Super League between NorthEast United FC and SC East Bengal held at the Tilak Maidan Stadium, Goa, India on the 5th December 2020 Photo by Faheem Hussain / Sportzpics for ISL
ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସହିତ ମୋଟ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଷ୍ଟବେଙ୍ଗଲ ତା’ର ନୌରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ଅନ୍ତିମ ଅର୍ଥାତ ୧୧ତମ ସ୍ଥାନରେ ରହିଛି। ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଇଷ୍ଟବେଙ୍ଗଲ ସୁଯୋଗର ସଦ୍ବ୍ୟବହାର କରିପାରି ନ ଥିଲା। ଫଳରେ ଗୋଲ ଦେଇପାରି ନ ଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଇଷ୍ଟବେଙ୍ଗଲ ଆଗରେ ଥିଲା। ତେବେ ଭାଗ୍ୟ ସହାୟ ହୋଇ ନ ଥିଲା।
୩୩ତମ ମିନିଟ୍ରେ ଇଷ୍ଟବେଙ୍ଗଲ ମିଡ୍ଫିଲ୍ଡର ସୁରଚନ୍ଦ୍ର ସିଂଙ୍କ ଆତ୍ମଘାତୀ ଗୋଲ ବଳରେ ନର୍ଥଇଷ୍ଟ ୟୁନାଇଟେଡ ଅଗ୍ରଣୀ ହୋଇଥିଲା। ପ୍ରଥମାର୍ଦ୍ଧରେ ନର୍ଥଇଷ୍ଟ ୟୁନାଇଟେଡ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଆରମ୍ଭରୁ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୩ତମ ମିନିଟ୍ରେ ନର୍ଥଇଷ୍ଟର ନିନ୍ଥୋଇଗାନ୍ବା ସାଥୀ ଫରଓ୍ବାର୍ଡ ଇଡ୍ରିସା ସିଲାଙ୍କୁ ପାସ୍ ଦେଇଥିଲେ। ଇଡ୍ରିସା ଡ଼ାହାଣପଟେ ଥିବା କ୍ୱେସି ଆପିଆଙ୍କ ନିକଟକୁ ବଲ୍ ଫ୍ଲିକ୍ କରିଥିଲେ। ଆପିଆ ସିଧା ବକ୍ସକୁ ଶଟ୍ ମାରିଥିଲେ। ତେବେ ଏହା ସୁରଚନ୍ଦ୍ରଙ୍କ ଆଣ୍ଠୁରେ ବାଜି ନେଟ୍ରେ ବାଜିଥିଲା। ଫଳରେ ଏହା ଇଷ୍ଟବେଙ୍ଗଲ ପାଇଁ ଆତ୍ମଘାତୀ ଗୋଲ ସାବ୍ୟସ୍ତ ହୋଇଥିଲା। ଏଥିସହିତ ଆଇଏସ୍ଏଲ୍ ଇତିହାସରେ ନର୍ଥଇଷ୍ଟ ୧୦୦ତମ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାପରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା ଓ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ନିର୍ଦ୍ଧାରିତ ୯୦ ମିନିଟ୍ ମଧ୍ୟ ଗୋଲ ହୋଇପାରି ନ ଥିଲା। ଏହାପରେ ଇଞ୍ଜୁରି ଟାଇମ ବାବଦରେ ୫ ମିନିଟ୍ର ଖେଳ ହୋଇଥିଲେ। ଏହାର ପ୍ରଥମ ଅର୍ଥାତ୍ ୯୧ତମ ମିନିଟ୍ରେ ନର୍ଥଇଷ୍ଟ ମିଡ୍ଫିଲ୍ଡର ରୋଚରଜେଲା ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇଥିଲେ। ଏଥିସହିତ ନର୍ଥଇଷ୍ଟ ୨-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚ୍ରେ ଉଭୟଦଳ ଏକାଧିକବାର ଖେଳାଳି ଅଦଳବଦଳ କରିଥିଲେ। ନର୍ଥଇଷ୍ଟ ତା’ର ପରବର୍ତ୍ତୀ ମ୍ୟାଚ୍ରେ ୮ ତାରିଖରେ ବେଙ୍ଗାଲୁରୁକୁ ଭେଟିବ। ସେହିପରି ଇଷ୍ଟବେଙ୍ଗଲ ୧୦ ତାରିଖରେ ଜାମ୍ଶେଦପୁରକୁ ଭେଟିବ।