Adam Le Fondre of Mumbai City FC celebarte goal with Hugo Boumous of Mumbai City FC during match 22 of the 7th season of the Hero Indian Super League between Mumbai City FC and Chennaiyin FC held at the GMC Stadium Bambolim, Goa, India on the 9th December 2020 Photo by Arjun Singh / Sportzpics for ISL
ବାମ୍ବୋଲିମ,୧୦।୧୨(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମୁମ୍ବାଇ ସିଟି ଏଫ୍ସି ତା’ର ପତିଆରା ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୧ ଗୋଲରେ ଚେନ୍ନାଇନ ଏଫ୍ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ନିଜର ଦକ୍ଷତା ଅନୁରୂପ ଖେଳି ମୁମ୍ବାଇ ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ ତାଲିକାରେ ତା’ର ଶୀର୍ଷସ୍ଥାନକୁ ଆହୁରି ଦୃଢ଼ କରିଛି। ଏପର୍ଯ୍ୟନ୍ତ ମୁମ୍ବାଇ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।
ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇନ ପ୍ରଥମାର୍ଦ୍ଧରେ ଗୋଲ ଦେଇ ପ୍ରଥମେ ଅଗ୍ରଣୀ ହାସଲ କରିଥିଲା। ୪୦ତମ ମିନିଟ୍ରେ ସ୍ଲୋଭାକିଆ ଫୁଟବଲର ଜାକୁବ୍ ସିଲଭରଷ୍ଟର ମୁମ୍ବାଇର ୪ଜଣ ଡିଫେଣ୍ଡରଙ୍କୁ ଚକ୍ମା ଦେଇ ସିଧାସଳଖ ନେଟ୍କୁ ମାରି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାର ଠିକ୍ ୯ ମିନିଟ୍ ପରେ ସ୍ପେନ୍ ସେଣ୍ଟ୍ରାଲ ମିଡ୍ଫିଲ୍ଡର ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଏହାପରେ ମୁମ୍ବାଇ ତରଫରୁ ଇଂଲଣ୍ଡ ଷ୍ଟ୍ରାଇକର ଆଡାମ ଲେ ଫୋଣ୍ଡ୍ରେ ୭୫ତମ ମିନିଟ୍ରେ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଚେନ୍ନାଇନ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ଶେଷରେ ମୁମ୍ବାଇ ବାଜି ମାରିଥିଲା। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ୍ ଖେଳ ହୋଇଥିଲା।
ସାରା ମ୍ୟାଚରେ ମୁମ୍ବାଇ ପ୍ରଭାବ ବିସ୍ତାର କରି ଖେଳିଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ମୁମ୍ବାଇ ଆଗରେ ରହିଥିଲା। ଯଦିଓ ମୁମ୍ବାଇ ଖେଳାଳିମାନେ ଅପେକ୍ଷାକୃତ ଅଧିକ ଫାଉଲ ମାରିଥିଲେ। ୟେଲୋ କାର୍ଡରେ ମଧ୍ୟ ମୁମ୍ବାଇ ଆଗୁଆ ଥିଲା। ମୁମ୍ବାଇ ଏବେ ତା’ର ପରବର୍ତ୍ତୀ ମ୍ୟାଚରେ ସୋମବାର ୧୪ ତାରିଖରେ ଜାମ୍ଶେଦପୁର ଏଫ୍ସିକୁ ଭେଟିବ। ସେହିପରି ଚେନ୍ନାଇନ ତା’ର ପରବର୍ତ୍ତୀ ମ୍ୟାଚରେ ରବିବାର ୧୩ ତାରିଖରେ ନର୍ଥଇଷ୍ଟ ୟୁନାଟେଡକୁ ଭେଟିବ।