Mumbai City FC with the League winners trophy after the match 110 of the 7th season of the Hero Indian Super League between Mumbai City FC and ATK Mohun Bagan held at the GMC Stadium, Bambolim, Goa, India on the 28th February 2021 Photo by Faheem Hussain / Sportzpics for ISL
ଭୁବନେଶ୍ୱର,୧।୩: ଚଳିତ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍)ର ଅନ୍ତିମ ଲିଗ୍ ମ୍ୟାଚ୍ରେ ମୁମ୍ବାଇ ସିଟ୍ ଏଫ୍ସି ୨-୧ ଗୋଲରେ ଏଟିକେ ମୋହନବାଗାନ(ଏଟିକେଏମ୍ବି)କୁ ପରାସ୍ତ କରିଛି। ଏଥି ସହ ମୁମ୍ବାଇ ତାଲିକାର ଶୀର୍ଷରେ ରହି ଲିଗ୍ ଓ୍ବିନର୍ସ ଶିଲ୍ଡ ହାସଲ କରିଛି। କୋଚ୍ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇ ୨୦ଟି ମ୍ୟାଚ୍ ଖେଳି ୧୨ ବିଜୟ, ୪ ଡ୍ର ଓ ପରାଜୟ ସହ ମୋଟ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଏହି ସଫଳତା ପାଇଛି। ଅନ୍ୟପଟେ ଏଟିକେଏମ୍ବି ୨୦ଟି ମ୍ୟାଚ୍ ଖେଳି ୧୨ ବିଜୟ ୪ ଲେଖାଏ ଡ୍ର ଓ ପରାଜୟ ସହ ସମାନ ୪୦ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିବା ସହ ଲିଗ୍ ଓ୍ବିନର୍ସ ଶିଲ୍ଡ ହାସଲରୁ ବଞ୍ଚିତ ହୋଇଛି।
ରବିବାର ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ମୁମ୍ବାଇ ତରଫରୁ ମୋର୍ଟାଡା ଫଲ ସପ୍ତମ ମିନିଟ୍ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ୩୯ ତମ ମିନିଟ୍ରେ ମୁମ୍ବାଇର ବାର୍ଥୋଲୋମ୍ୟୁ ଓଗବେଚେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥାମର୍ଦ୍ଧ ଶେଷ ହେବା ବେଳକୁ ମୁମ୍ବାଇ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସୁଯୋଗ ପାଇଥିଲେ ମଧ୍ୟ ଏଟିକେଏମ୍ବି ଗୋଲ ଦେଇପାରି ନ ଥିଲା ଓ ସହଜରେ ମ୍ୟାଚ୍ ହାତଛଡ଼ା କରିଥିଲା। ତେବେ ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଏଟିକେଏମ୍ବି ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ଦଳର ପ୍ରଦର୍ଶନରେ ମୁମ୍ବାଇ କୋଚ୍ ଲୋବେରା ଖୁସି ଜାହିର କରିଛନ୍ତି। ଖେଳାଳିଙ୍କ ପ୍ରଦର୍ଶନ ଗର୍ବିତ ବୋଲି ସେ କହିଛନ୍ତି। ଏଟିକେଏମ୍ବି ଏକ କ୍ୱାଲିଟି ଦଳ ବୋଲି ଜାଣିଥିଲୁ। ଯୋଜନା ଅନୁସାରେ ଖେଳି ସଫଳତା ପାଇଛୁ। ଲିଗ୍ରେ ଆମେ ଭଲ ଆରମ୍ଭ କରିଥିଲୁ। ତେବେ ଶେଷ ଆଡକୁ ଆଶନୁରୂପ ପ୍ରଦର୍ଶନ କରିପାରି ନ ଥିଲୁ। ଶେଷରେ ଲିଗ୍ ଓ୍ବିନର୍ସ ଶିଲ୍ଡ ଜିତିଥିବାରୁ ଆମେ ବେଶ୍ ଆନନ୍ଦିତ ଅଛୁ ବୋଲି ସେ କହିଛନ୍ତି।
ସେମିଫାଇନାଲ ଲାଇନ୍ଅପ୍ ଚୂଡାନ୍ତ
ଆଇଏସଏଲ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ, ଏଟିକେଏମ୍ବି, ନର୍ଥଇଷ୍ଟ ୟୁନାଇଟେଡ ଓ ଗୋଆ ଯଥାକ୍ରମେ ପଏଣ୍ଟ ତାଲକାର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫଳରେ ପ୍ଲେଅଫ୍ କାର୍ଯସୂଚୀ ସ୍ପଷ୍ଟ ହୋଇଛି। ମୁମ୍ବାଇ ଏବେ ଚତୁର୍ଥ ସ୍ଥାନରେ ଥିବା ଏଫ୍ସି ଗୋଆ ବିପକ୍ଷରେ ଦୁଇ ଲେଗ୍ ବିଶିଷ୍ଟ ସେମିଫାଇନାଲ ଖେଳିବ। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ଏଟିକେଏମ୍ବି ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ତୃତୀୟ ସ୍ଥାନ ହାସଲ କରିଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ।
ପ୍ଲେଅଫ୍ କାର୍ଯ୍ୟସୂଚୀ
ତାରିଖ ମୁକାବିଲା ଭେନ୍ୟୁ
୫ ଗୋଆ- ମୁମ୍ବାଇ ଫାଟୋର୍ଡା
୬ ନର୍ଥଇଷ୍ଟ- ଏଟିକେଏମ୍ବି ବାମ୍ବୋଲିମ
୮ ମୁମ୍ବାଇ- ଗୋଆ ବାମ୍ବୋଲିମ
୯ ଏଟିକେଏମ୍ବି- ନର୍ଥଇଷ୍ଟ ଫାଟୋର୍ଡା
୧୩ ଗ୍ରାଣ୍ଡ ଫାଇନାଲ ଫାଟୋର୍ଡା