Adam Le Fondre of Mumbai City FC celebrate a goal during match 13 of the 7th season of the Hero Indian Super League between Mumbai City FC and SC East Bengal held at the GMC Stadium Bambolim, Goa, India on the 1st December 2020 Photo by Vipin Pawar / Sportzpics for ISL
ବାମ୍ବୋଲିମ୍, ୨।୧୨- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଇଷ୍ଟବେଙ୍ଗଲ ୧୧ ଦଳ ବିଶିଷ୍ଟ ଲିଗ୍ ଟେବୁଲର ନିମ୍ନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡଠାରୁ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଏଫସି ଗୋଆକୁ ପରାସ୍ତ କରିଥିଲା। ଇଷ୍ଟବେଙ୍ଗଲ ଏହାର ପ୍ରଥମ ମ୍ୟାଚରେ ଏଟିକେ ମୋହନବାଗାନଠାରୁ ହାରି ଯାଇଥିଲା।
ମ୍ୟାଚ ଆରମ୍ଭରୁ ଇଷ୍ଟବେଙ୍ଗଲକୁ ଝଟ୍କା ଲାଗିଥିଲା। ୨ୟ ମିନିଟରେ ଅଧିନାୟକ ଡାନିଏଲ ଫକ୍ସ ତଳେ ପଡ଼ିଯାଇ ଆହତ ହୋଇଥିଲେ। ସେ ଖେଳ ଜାରି ରଖିବାକୁ ଚାହିଁଥିଲେ ହେଁ ସମ୍ଭବ ନ ହେବାରୁ ବଦଳ ଖେଳାଳି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଦଳକୁ ୧୦ ଜଣରେ ଖେଳିବାକୁ ପଡ଼ିଥିଲା। ୭ମ ମିନିଟରେ ତାଙ୍କ ବଦଳ ଖେଳାଳିଭାବେ ମହମ୍ମଦ ରଫିକ୍ ପଡ଼ିଆକୁ ଆସିଥିଲେ। ଆକ୍ରମଣାତ୍ମକ ଆଭିମୁଖ୍ୟରେ ୯ମ ମିନିଟରେ ମୁମ୍ବାଇ ପକ୍ଷରୁ ଗୋଲ ଉଦ୍ୟମ ହୋଇଥିବାବେଳେ ଗୋଲକିପର ଦେବଜିତ ମଜୁମଦାରଙ୍କ ଚମତ୍କାର ସେଭ୍ ଯୋଗୁ ଇଷ୍ଟବେଙ୍ଗଲ୍ ବର୍ତ୍ତି ଯାଇଥିଲା। ୨୦ତମ ମିନିଟରେ ରଫିକ୍ ପ୍ରତିପକ୍ଷ ଗୋଲପୋଷ୍ଟକୁ ଟାର୍ଗେଟ କରି ଶଟ୍ ମାରିଥିଲେ ହେଁ ମୁମ୍ବାଇ ଗୋଲକିପର ଅମରିନ୍ଦର ରଣଜୀତ ସିଂ ତାହାକୁ ସେଭ୍ କରିଥିଲେ। କାଉଣ୍ଟର ଆକ୍ରମଣରେ ସଫଳ ହୋଇଥିଲା ମୁମ୍ବାଇ। ୨୦ତମ ମିନିଟରେ ହ୍ୟୁଗୋ ଆଦନାନ ବୌମସଙ୍କ ପାସ୍କୁ ଗୋଲରେ ପରିଣତ କରି ଗ୍ଲେନ୍ଭିଲେ ଆଡାମ ଜେମ୍ସ ଲି ଫଣ୍ଡ୍ରେ ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଅଗ୍ରଣୀକୁ ବଢ଼ାଇବା ପାଇଁ ମୁମ୍ବାଇ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ୪୭ତମ ମିନିଟରେ ଆଡାମ ଜାହୋଉ ବଲ୍କୁ ନିୟନ୍ତ୍ରଣରେ ରଖି ପେନାଲ୍ଟି ବକ୍ସ ମଧ୍ୟରେ ଥିବା ହ୍ୟୁଗୋ ଆଦନାନ ବୌମସଙ୍କ ନିକଟକୁ ପଠାଇ ଦେଇଥିଲେ। ମାତ୍ର ଇଷ୍ଟବେଙ୍ଗଲ ଗୋଲକିପର ଦେବଜିତ ବଲ୍କୁ ଧରିବା ଉଦ୍ୟମରେ ହ୍ୟୁଗୋକୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ଫଣ୍ଡ୍ରେ ଅତ୍ୟନ୍ତ ଧୈର୍ଯ୍ୟର ସହ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇ ଅଗ୍ରଣୀକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଫଣ୍ଡ୍ରେ ଡାହାଣ ପଟକୁ ଶଟ୍ ମାରିଥିବାବେଳେ ଦେବଜିତ ଭୁଲ ପୂର୍ବାନୁମାନରେ ବାମ ପଟକୁ ଡାଇଭ୍ ମାରିଥିଲେ। ଇଷ୍ଟବେଙ୍ଗଲର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୫୮ତମ ମିନିଟରେ ହେର୍ନାନ୍ ଡାନିଏଲ ସାଣ୍ଟାନା ଟ୍ରୁଜିଲୋ ଫ୍ରିକିକ୍ରୁ ଏକ ଗୋଲ ଦେଇ ଇଷ୍ଟବେଙ୍ଗଲକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ବୌମସଙ୍କଠାରୁ ପାସ୍ ପାଇବାପରେ ଟ୍ରୁଜିଲୋ ବଟମ୍ ରାଇଟ୍ କର୍ନରରେ ବଲ୍କୁ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ୨୨ ମିନିଟରେ ଗୋଲ ପରିଶୋଧ ପାଇଁ କୋଲକାତା ଦଳ ଉଦ୍ୟମକୁ ଜୋରଦାର କରିଥିଲେ ହେଁ ସଫଳ ହୋଇ ନ ଥିଲା। ବୌମସ ପାସ୍ ଅଫ୍ ଦି ମ୍ୟାଚ ଏବଂ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ।