Manvir Singh of ATKMB celebrates after scoring a goal during Semi Final 2, 2nd Leg of the 7th season of the Hero Indian Super League between ATK Mohun Bagan and NorthEast United FC held at the Fatorda Stadium, Goa, India on the 9th March 2021 Photo by Faheem Hussain / Sportzpics for ISL
ମାର୍ଗାଓ,୧୦।୩: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସପ୍ତମ ସଂସ୍କରଣ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ମୁମ୍ବାଇ ସିଟି ଏଫ୍ସି ଓ ଏଟିକେ ମୋହନ ବାଗାନ (ଏଟିକେଏମ୍ବି) ୧୩ ତାରିଖ ଶନିବାର ପାଟୋର୍ଡା ଷ୍ଟାଡିୟମରେ ପରସ୍ପରକୁ ଭେଟିବେ। ମଙ୍ଗଳବାର ସେମିଫାଇନାଲ ଲେଗ୍ରେ ଏଟିକେ ୩-୨ ଏଗ୍ରିଗେଟ୍ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍ସିକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ ସିଟି ଏଫ୍ସି ଗୋଆକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।
ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଲେଗ୍ର ଦ୍ୱିତୀୟ ମୁକାବିଲାରେ ଏଟିକେଏମ୍ବି ୨-୧ ଗୋଲ୍ରେ ନର୍ଥଇଷ୍ଟକୁ ହରାଇ ଏହି ସଫଳତା ପାଇଛି। ଏଟିକେ ପ୍ରଥମ ଦୁଇଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଡେଭିଡ୍ ଓ୍ବିଲିୟମ୍ସ ୩୮ତମ ମିନିଟ୍ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ମନବୀର ସିଂ ୬୮ତମ ମିନିଟ୍ରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୭୪ତମ ମିନିଟ୍ରେ ନର୍ଥଇଷ୍ଟ ଫରଓ୍ବାର୍ଡ ଭି.ପି. ସୁହେର ଦଳ ତରଫରୁ ଏକମାତ୍ର ଗୋଲ ଦେଇଥିଲେ। ନର୍ଥଇଷ୍ଟ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଆଉ ଗୋଲ ଦେଇପାରି ନ ଥିଲା। ଫଳରେ ନର୍ଥଇଷ୍ଟ ପରାସ୍ତ ହୋଇ ଫାଇନାଲକୁ ଉଠିବାରେ ବିଫଳ ହୋଇଥିଲା। ଏହାପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ଲେଗ୍ ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍ରେ ମଧ୍ୟ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ମନବୀର ସିଂଙ୍କୁ ହିରୋ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଟିକେର ରଏ କ୍ରିଷ୍ଣା ଓ୍ବିନିଂ ପାସ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ସେହିପରି ଏଟିକେକୁ କ୍ଲବ ପୁରସ୍କାର ଦିଆଯାଇଥିଲା।
ପୂର୍ବରୁ ସୋମବାର ବାମ୍ବୋଲିମ୍ର ଜିଏମ୍ସି ଷ୍ଟାଡିୟମରେ ମୁମ୍ବାଇ ପେନାଲ୍ଟି ଶୁଟ୍ ଆଉଟ୍ରେ ଏଫ୍ସି ଗୋଆକୁ ୬-୫ରେ ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ଓ ଗୋଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ଲେଗ୍ରେ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ତେବେ କଡ଼ା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ଲେଗ୍ ନିର୍ଦ୍ଧାରିତ ସମୟ ଶେଷ ବେଳକୁ ବିନା ଗୋଲରେ ଅମୀମାଂସିତ ରହିଥିଲା। ଏଗ୍ରିଗେଟ୍ ସ୍କୋର ୨-୨ ରହିବା ଫଳରେ ପେନାଲ୍ଟି ଶୁଟ୍ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ମୁମ୍ବାଇ ବାଜି ମାରିଥିଲା।
ପୂର୍ବରୁ ଲିଗ୍ ପର୍ଯ୍ୟାୟ ଶେଷରେ ମୁମ୍ବାଇ ୨୦ ମ୍ୟାଚ୍ ଖେଳି ୧୨ ବିଜୟ ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଲିଗ୍ ଓ୍ବିନର୍ସ ଟ୍ରଫି ହାସଲ କରିଥିଲା। ଏଟିକେ ୪୦ ପଏଣ୍ଟ ପାଇ ଦ୍ୱିତୀୟ, ନର୍ଥଇଷ୍ଟ ୩୩ ପଏଣ୍ଟ ପାଇ ତୃତୀୟ ଓ ଗୋଆ ୩୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା।