Kerala Blasters FC players warning up before the match 1 of the 7th season of the Hero Indian Super League between Kerala Blasters FC and ATK Mohun Bagan held at the GMC Stadium, Bambolim, Goa, India on the 20th November 2020 Photo by Faheem Hussain / Sportzpics for ISL
ବାମ୍ବୋଲିମ (ଗୋଆ), ୨୬।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ନର୍ଥଇଷ୍ଟ ୟୁନାଇଟେଡ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ଲିଗ୍ରେ ଏହା ହେବ ଉଭୟଙ୍କର ଦ୍ୱିତୀୟ ମ୍ୟାଚ। ନର୍ଥଇଷ୍ଟ ଏହାର ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଥିଲା। ମାତ୍ର କେରଳ ଉଦ୍ଘାଟନୀ ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଏଟିକେ ମୋହନବାଗାନଠାରୁ ୦-୧ ଗୋଲରେ ହାରି ଯାଇଥିଲା। ତେଣୁ ପ୍ରତିଯୋଗିତାରେ ପ୍ରଥମ ବିଜୟ ଉପରେ କେରଳର ନଜର ରହିଥିବାବେଳେ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ଖେଳିବ ନର୍ଥଇଷ୍ଟ।
କେରଳ କୋଚ୍ କିବୁ ଭିକୁନା ପ୍ରତିପକ୍ଷ ଦଳର ଚ୍ୟାଲେଞ୍ଜ୍କୁ ମୁକାବିଲା କରିବାନେଇ ବେଶ୍ ଆଶାବାଦୀ। ତାଙ୍କ ଦଳ ପ୍ରଥମ ମ୍ୟାଚରେ ହାରି ଯାଇଥିଲେ ହେଁ ଆଗାମୀ ମ୍ୟାଚରେ ଦଳ ୩ ପଏଣ୍ଟ ପାଇବାନେଇ ସେ ଆଶା ରଖିଛନ୍ତି। ”ନର୍ଥଇଷ୍ଟ ଏକ ଭଲ ଦଳ ଏବଂ ମୁମ୍ବାଇ ସିଟି ବିପକ୍ଷରେ ଆଶାନୁରୂପ ଖେଳିଥିଲା। ଆଗାମୀ ମ୍ୟାଚରେ ମଧ୍ୟ ଏହି ଦଳ ନିକଟରୁ କଡ଼ା ଚ୍ୟାଲେଞ୍ଜ ପାଇବା ଆଶା ରଖିଛୁ“ ବୋଲି ଭିକୁନା କହିଛନ୍ତି। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟର ଡିଫେଣ୍ଡରମାନେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ସେଭଳି ଜାରି ରହିବ ବୋଲି କୋଚ୍ ଗେରାର୍ଡ ନୁସ୍ ଆଶା ରଖିଛନ୍ତି। ” କେରଳ ବ୍ଲାଷ୍ଟର୍ସ ଆଇଏସ୍ଏଲ୍ର ଅନ୍ୟତମ ଶ୍ରେଷ୍ଠ ଦଳ। ଏହି ଦଳ ବିପକ୍ଷରେ ଖେଳିବା ସହଜ ନୁହେଁ। ଦଳରେ ଭଲ ସନ୍ତୁଳନ ରହିଥିବାରୁ ସେମାନେ ଏକାଧିକ ବାଟରେ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିପାରନ୍ତି। ତେଣୁ ଏହା ଏକ କଷ୍ଟସାଧ୍ୟ ମ୍ୟାଚ ହେବ। ତେବେ ଏଟିକେ ମୋହନବାଗାନ ବିପକ୍ଷରେ ସେମାନେ ଗୋଟିଏ ହେଲେ ଶଟ୍ ଟାର୍ଗେଟରେ ପହଞ୍ଚାଇପାରି ନ ଥିଲେ। ତେଣୁ ଆମ ଦଳର ଡିଫେଣ୍ଡରମାନେ ମଧ୍ୟ ପ୍ରତିପକ୍ଷ ଦଳକୁ ରୋକିବାରେ ସକ୍ଷମ ହୋଇପାରିବେ“ ବୋଲି ନୁସ୍ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗତବର୍ଷ କେରଳ ଓ ନର୍ଥଇଷ୍ଟର ଡିଫେନ୍ସ ବିଭାଗ ସବୁଠାରୁ ଦୁର୍ବଳ ଥିଲା। ଉଭୟ ଦଳ କେବଳ ୩ ଲେଖାଏ କ୍ଲିନ୍ଶିଟ୍ ପାଇଥିଲେ। ଏହା ଉପରେ ଧ୍ୟାନରଖି ନର୍ଥଇଷ୍ଟ ଏଥର ଏହାର ବ୍ୟାକ୍ଲାଇନ୍କୁ ଶକ୍ତିଶାଳୀ କରିଛି। ମାତ୍ର ସମାନ ତ୍ରୁଟି କେରଳ ପାଇଁ ମହଙ୍ଗା ପଡ଼ିଛି। ଏଟିକେ ମୋହନବାଗାନ ବିପକ୍ଷରେ ଡିଫେନ୍ସବିଭାଗର ତ୍ରୁଟି ଯୋଗୁ ଦଳ ଗୋଲ ବରଣ କରିଥିଲା। ମାତ୍ର ଲିଗ୍ ଆଗେଇବାସହ ଡିଫେନ୍ସବିଭାଗ କ୍ରମେ ଦୃଢ଼ ହେବ ବୋଲି ଭିକୁନା ପ୍ରକାଶ କରିଛନ୍ତି। ”ଡିଫେନ୍ସ ବିଭାଗକୁ ଦୃଢ଼ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ। ଟୁର୍ନାମେଣ୍ଟ ଆଗେଇବା ସହ ଏଥିରେ ସୁଧାର ଆସିଯିବ। ଉଭୟ ଭାରତୀୟ ଓ ବିଦେଶୀଙ୍କ ମଧ୍ୟରେ ଆମ ଦଳରେ ଅନେକ ନୂଆ ଖେଳାଳି ଅଛନ୍ତି। ତେଣୁ ଏକ ଫୁଟବଲ ଦଳଭାବେ ନିଜର ପରିଚୟ ସୃଷ୍ଟି କରିବାକୁ କିଛି ସମୟ ଲାଗିବ“ ବୋଲି ଭିକୁନା କହିଛନ୍ତି।