Vignesh Dakshinamurthy of Mumbai City FC celebrates the goal during match 34 of the 7th season of the Hero Indian Super League between Hyderabad FC and Mumbai City FC held at the Tilak Maidan Stadium, Goa, India on the 20th December 2020 Photo by Deepak Malik/ Sportzpics for ISL
ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସେସନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚରେ ମୁମ୍ବାଇ ପ୍ରଭାବ ବିସ୍ତାର କରି ଖେଳିଥିଲା। ୩୮ ମିନିଟ୍ରେ ବିଘ୍ନେଶ ଦକ୍ଷିଣ ମୂର୍ତ୍ତି ପ୍ରଥମ ଗୋଲ ସ୍କୋର କରି ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ। ଏହାପରେ ୫୯ତମ ମିନିଟ୍ରେ ମୁମ୍ବାଇର ଇଂଲଣ୍ଡ ଷ୍ଟ୍ରାଇକର ଆଡାମ ଲେ ଫୋଣ୍ଡ୍ରେ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ସୁଯୋଗ ପାଇଥିଲେ ମଧ୍ୟ ହାଇଦ୍ରାବାଦ ତରଫରୁ କୌଣସି ଖେଳାଳି ଗୋଲ ସ୍କୋର କରି ନ ଥିଲେ। ଏଥିସହିତ ଚଳିତ ସେସନ୍ରେ ହାଇଦ୍ରାବାଦ ପ୍ରଥମ ପରାଜୟ ବରଣ କରିଛି। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ମୁମ୍ବାଇ ଆଗରେ ରହିଥିଲା। ଏପର୍ଯ୍ୟନ୍ତ ମୁମ୍ବାଇ ୭ଟି ମ୍ୟାଚ ଖେଳି ୫ ବିଜୟ, ଗୋଟିଏ ଲେଖାଏ ଡ୍ର ଓ ପରାଜୟ ସହ ୧୬ ପଏଣ୍ଟ ପାଇ ତାଲକାର ଶୀର୍ଷରେ ରହିଛି। ସେହିପରି ହାଇଦ୍ରାବାଦ ୬ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି।
ଇଷ୍ଟବେଙ୍ଗଲ- କେରଳ ମ୍ୟାଚ ଡ୍ର
ଜିଏମ୍ସି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ମ୍ୟାଚରେ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ୧୩ତମ ମିନିଟ୍ରେ କେରଳର ନିଶୁ କୁମାରଙ୍କ ଆତ୍ମଘାତୀ ଗୋଲ ବଳରେ ଇଷ୍ଟ ବେଙ୍ଗଲ ଅଗ୍ରଣୀ ହାସଲ କରିଥିଲା। ସାରା ମ୍ୟାଚରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲେ। କିନ୍ତୁ ଅନ୍ତିମ ମିନିଟ୍ ଅର୍ଥାତ୍ ଇଞ୍ଜୁରି ଟାଇମ୍ର ପଞ୍ଚମ ମିନିଟ୍ରେ କେରଳର ମିଡ୍ଫିଲ୍ଡର ଜିକ୍ସନ ସିଂ ଥୋନାଓଜାମ ଗୋଲ ଦେଇଥିଲେ। ଫଳରେ ମ୍ୟାଚ ଅମୀମାଂସିତ ରହିଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ କେରଳ ଯଥେଷ୍ଟ ଆଗରେ ଥିଲା। କେରଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୩ ଡ୍ର ଓ ୩ ପରାଜୟ ସହ ୩ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି। ସେହିପରି ଇଷ୍ଟବେଙ୍ଗଲ ୬ ମ୍ୟାଚ ଖେଳି ୨ ଡ୍ର ଓ ୪ ପରାଜୟ ସହ ୨ ପଏଣ୍ଟ ପାଇ ଦଶମ ସ୍ଥାନରେ ରହିଛି।