Idrissa Sylla of NorthEast United FC celebrate his goal with team players during match 12 of the 7th season of the Hero Indian Super League between FC Goa and NorthEast United FC held at the Fatorda Stadium, Goa, India on the 30th November 2020 Photo by Arjun Singh / Sportzpics for ISL
ଫତୋର୍ଦା ୧ା୧୨: ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ସୋମବାର ଅନୁଷ୍ଠିତ ଏଫସି ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ଏହି ମ୍ୟାଚର ଫଳାଫଳ ସହିତ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ଲିଗ୍ରେ ଅପରାଜେୟ ରହିଛି। ୩ ମ୍ୟାଚରୁ ଏହି ଦଳ ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ୧-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ନର୍ଥଇଷ୍ଟ କେରଳ ବ୍ଲାଷ୍ଟର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ୨-୨ ଗୋଲରେ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଗତ ସଂସ୍କରଣର ଲିଗ୍ ଟେବୁଲ ଟପ୍ପର ଗୋଆ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ପାଇନାହିଁ। ଦଳ ୩ଟି ମ୍ୟାଚ ଖେଳି ସାରିଥିଲେ ହେଁ ମାତ୍ର ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ବେଙ୍ଗାଲୁରୁ ଏଫସି ବିପକ୍ଷ ପ୍ରଥମ ମ୍ୟାଚକୁ ଗୋଆ ୨-୨ରେ ଡ୍ର ରଖିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସି ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା। ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ଏବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୋଆ ୭ମ ସ୍ଥାନ ପାଇଛି।
ଟୁର୍ନାମେଣ୍ଟରେ ନିଜର ପ୍ରଥମ ୨ଟି ମ୍ୟାଚରେ ଅପରାଜେୟ ରହିଥିବା ନର୍ଥଇଷ୍ଟ ୟୁନାଇଟେଡ ଏଠାରେ ମଧ୍ୟ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଏଫସି ଗୋଆ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଅଧଘଣ୍ଟା ପର୍ଯ୍ୟନ୍ତ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ନର୍ଥଇଷ୍ଟର ଇଦ୍ରିସା ସିଲା ପ୍ରତିପକ୍ଷ ବକ୍ସ ମଧ୍ୟରେ ଥିବାବେଳେ ୩୮ତମ ମିନିଟରେ ତାଙ୍କ ନିକଟକୁ ଡାହାଣ ପଟରୁ ଏକ କ୍ରସ୍ପାସ୍ ଦେଇଥିଲେ ବ୍ରିଟୋ ପି.ଏମ.। ମାତ୍ର ସିଲା ବଲ୍କୁ ଟଚ୍ କରିବା ପୂର୍ବରୁ ଗୋଆ ଦଳର ଇଭାନ ଗାରିଡୋ ଗୋଞ୍ଜାଲେଜ ପଛରୁ ଟାଣି ତାଙ୍କୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ନର୍ଥଇଷ୍ଟକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ସିଲା ଡାହାଣପଟ କର୍ନରରେ ଲୋ ଶଟ୍ ମାରି ଗୋଲ କରିଥିଲେ ହେଁ ରେଫରି ତାହାକୁ ନାକଚ କରିଥିଲେ ଏବଂ ଆଉଥରେ ପେନାଲ୍ଟି ଶଟ୍ ମାରିବାକୁ ପରାମର୍ଶ ଦେଇଥିଲେ। କାରଣ ସିଲା ଶଟ୍ ମାରିବା ପୂର୍ବରୁ ବକ୍ସ ଭିତରେ ଗୋଆରେ ଲାଲରେମପୁଇଆ ଫନାଇ ଚାର୍ଜ କରିବାକୁ ଆଗଭର ହୋଇଯାଇଥିଲେ। ଦ୍ୱିତୀୟ ଉଦ୍ୟମରେ ମଧ୍ୟ ସିଲା ସଫଳ ହୋଇଥିଲେ। ଏଥର ସେ ଶଟ୍କୁ ସିଧା ପୋଷ୍ଟର ମଧ୍ୟଭାଗକୁ ମାରିଥିବାବେଳେ ଗୋଲକିପର ମହମ୍ମଦ ନଓ୍ବାଜ ବାମପଟକୁ ଡାଇଭ୍ ମାରିଥିଲେ। ୪୦ତମ ମିନିଟରେ ଗୋଲ ବଳରେ ନର୍ଥଇଷ୍ଟ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ଅର୍ଥାତ୍ ୪୩ତମ ମିନିଟରେ ଗୋଆ ଗୋଲଟି ପରିଶୋଧ କରି ଦେଇଥିଲା। ବାମପଟରୁ ଆଗକୁ ବଢ଼ୁଥିବା ଗୋଆର ବ୍ରେଣ୍ଡନ ଫର୍ନାଣ୍ଡିଜ୍ ନର୍ଥଇଷ୍ଟ ଖେଳାଳିଙ୍କୁ ଚକ୍ମା ଦେଇ ବଲ୍କୁ ବକ୍ସ ଏରିଆକୁ ପଠାଇବାରେ ସକ୍ଷମ ହୋଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଙ୍ଗୁଲୋ ଆଲ୍ବୋନିଗା ବଲ୍କୁ ନେଟ୍ ମଧ୍ୟକୁ ପଠାଇବାରେ କୌଣସି ଭୁଲ କରି ନ ଥିଲେ। ଚଳିତ ଲିଗ୍ରେ ଆଙ୍ଗୁଲୋଙ୍କର ଏହାଥିଲା ତୃତୀୟ ଗୋଲ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ସ୍କୋର ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଉଭୟ ଦଳ ସମକକ୍ଷ ପ୍ରଦର୍ଶନ କରିଥିଲେ। ଉଭୟ ଦଳର କୋଚ୍ ଏକାଧିକ ଖେଳାଳି ପରିବର୍ତ୍ତନ କରିଥିଲେ ହେଁ ଗୋଲ ସ୍କୋର ହୋଇପାରି ନ ଥିଲା। ୯୦ ମିନିଟ ପରେ ୫ ମିନିଟର ଇଞ୍ଜୁରି ଟାଇମ୍ ମିଳିଥିଲା। ମାତ୍ର ଏଥିରେ ମଧ୍ୟ ଗୋଲ ଦେବାରେ ସକ୍ଷମ ନ ହେବାରୁ ଦୁଇଦଳ ପଏଣ୍ଟ ଭାଗ କରିଥିଲେ।