Bright Enobakhare of SC East Bengal hits goal during match 49 of the 7th season of the Hero Indian Super League between SC East Bengal and FC Goa held at the Tilak Maidan Stadium, Goa, India on the 6th January 2021 Photo by Deepak Malik/ Sportzpics for ISL
ଭାସ୍କୋ, ୭।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଇଷ୍ଟ ବେଙ୍ଗଲ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଷ୍ଟ ବେଙ୍ଗଲ ତରଫରୁ ୭୯ତମ ମିନିଟ୍ରେ ନାଇଜେରିଆନ ଫରଓ୍ବାର୍ଡ ବ୍ରାଇଟ୍ ଇନୋବାଖରେ ଏକ ସୁନ୍ଦର ଫିଲ୍ଡ ଗୋଲ ସ୍କୋର କରିଥିଲେ। ଏହାର ଠିକ୍ ୨ ମିନିଟ୍ ପରେ ଗୋଆ ଏହି ଗୋଲ ପରିଶୋଧ କରିଥିଲା। ଗୋଆ ତରଫରୁ ଦେବେନ୍ଦ୍ର ମୁରଗାଓଁକର ୮୧ତମ ମିନିଟ୍ରେ ଗୋଲ ଦେଇ ମ୍ୟାଚ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ସାରା ମ୍ୟାଚରେ ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏକାଧିକ ଗୋଲ ସୁଯୋଗ ପାଇଥିଲେ ମଧ୍ୟ ଗୋଆ ଗୋଲ ସ୍କୋର କରିପାରି ନ ଥିଲା। ଇଷ୍ଟ ବେଙ୍ଗଲ ଗୋଲକିପର ଦେବଜିତ୍ ମଜୁମ୍ଦାର ଗୋଆର ସବୁ ଆକ୍ରମଣକୁ ପଣ୍ଡ କରିଥିଲେ। ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ଗୋଆ ବିଜୟ ହାସଲ କରିପାରି ନ ଥିଲା। ଫଳରେ ଗୋଆ କୋଚ୍ ଜୁଆନ ଫେରାଣ୍ଡୋ ନୌରାଶ୍ୟ ଜାହିର କରିଛନ୍ତି। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଗୋଆ ଇଷ୍ଟ ବେଙ୍ଗଲ ତୁଳନାରେ ଯଥେଷ୍ଟ ଆଗରେ ରହିଥିଲା। ୫୬ତମ ମିନିଟ୍ରେ ଇଷ୍ଟ ବେଙ୍ଗଲର ଡ୍ୟାନି ଫକ୍ସ ରେଡ୍ କାର୍ଡ ପାଇଥିଲେ।
ଏଥିସହି ଗୋଆ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ, ୩ଟି ଲେଖାଏ ଡ୍ର ଓ ପରାଜୟ ସହ ୧୫ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୯ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୭ ପଏଣ୍ଟ ପାଇଁ ତାଲିକାର ନବମ ସ୍ଥାନରେ ରହିଛି। ଇଷ୍ଟ ବେଙ୍ଗଲ ତା’ର ପରବର୍ତ୍ତୀ ମ୍ୟାଚ ଆସନ୍ତା ଶନିବାର ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ଖେଳିବ। ସେହିପରି ଗୋଆ ୧୪ ତାରିଖ ଗୁରୁବାର ତା’ର ପରବର୍ତ୍ତୀ ମ୍ୟାଚରେ ଜାମଶେଦପୁର ଏଫ୍ସିକୁ ଭେଟିବ।