Goa: Mohammed Rafique of SC East Bengal and Jerry Lalrinzuala of Chennaiyin FC in action during the Hero Indian Super League, at Tilak Maidan Stadium in Goa, Saturday, Dec. 26, 2020. (PTI Photo/ Sportzpics)(PTI26-12-2020_000143B)
ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍ ଏଫ୍ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏହି ୩୯ତମ ମ୍ୟାଚରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ତରଫରୁ ଦୁଇଟି ଲେଖାଏ ଗୋଲ ସ୍କୋର କରାଯାଇଥିଲା। ଏଥିସହ ଚେନ୍ନାଇନ୍ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୯ ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ଟି ଡ୍ର ଓ ୪ଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି। ବଲ ପଜେଶନ ଓ ପାସ୍ରେ ଚେନ୍ନାଇନ୍ ଆଗରେ ରହିଥିଲା। ତେବେ ପାସ୍ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଆଗରେ ରହିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ବେଶ୍ ଉପଭୋଗ୍ୟ ହୋଇଥିଲା।
ମ୍ୟାଚ୍ର ୧୩ତମ ମିନିଟ୍ରେ ମିଜୋରାମ ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ପ୍ରଥମ ଗୋଲ ଦେଇଥିଲେ ଓ ଚେନ୍ନାଇନ୍କୁ ଅଗ୍ରଣୀ କରାଇଥିଲେ। ଚଳିତ ସେସନରେ ସେ ଏକାଧିକ ଗୋଲ ସୁଯୋଗ ହରାଇଥିଲେ ମଧ୍ୟ ଚାଙ୍ଗଟେ ଶେଷରେ ଗୋଲ ଦେବାରେ ସଫଳ ହୋଇଥିଲେ। ବ୍ରାଜିଲ ମିଡ୍ଫିଲ୍ଡର ରଫାଏଲ କ୍ରିଭେଲାରୋଙ୍କ କୁଇକ୍ ପାସ୍କୁ ଚାଙ୍ଗଟେ ସିଧା ଇଷ୍ଟବେଙ୍ଗଲ ଗୋଲ ପୋଷ୍ଟକୁ ପଠାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖା ଦେଇଥିଲା। ପ୍ରଥମାର୍ଦ୍ଧରେ ୩ ମିନିଟ୍ର ଅତିରିକ୍ତ ଖେଳ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଇଷ୍ଟବେଙ୍ଗଲ ପ୍ରତ୍ୟାବର୍ତ୍ତନ କରିଥିଲା। ୫୯ତମ ମିନିଟ୍ରେ ଇଷ୍ଟ ବେଙ୍ଗଲର ଜର୍ମାନୀ ସେଣ୍ଟ୍ରାଲ ମିଡ୍ଫିଲ୍ଡର ଭିଲେ ମାଟ୍ଟି ଷ୍ଟେଇନ୍ମ୍ୟାନ୍ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ତେବେ ଏହାର ଠିକ୍ ୫ ମିନିଟ୍ ପରେ ଚେନ୍ନାଇନ୍ର ରାହିମ ଅଲି ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। କ୍ରିଭେଲାରୋ ଆଉଏକ କୁଇକ୍ ପାସ୍ ଦେଇ ସୁଯୋଗ ସୃଷ୍ଟି କରିଥିଲେ ଓ ଅଲି ଏହାକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ଚେନ୍ନାଇନ୍ର ଏହି ଅଗ୍ରଣୀ ବେଶି ସମୟ ତିଷ୍ଠି ନ ଥିଲା। ଆଉ କିଛି ସମୟ ଅନ୍ତରରେ ୬୯ତମ ମିନିଟ୍ରେ ଇଷ୍ଟ ବେଙ୍ଗଲ ତରଫରୁ ଷ୍ଟେଇନ୍ମ୍ୟାନ୍ କର୍ନରରୁ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ସମାନସ୍ତରକୁ ଆଣିଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଏହି ସ୍କୋର ବଜାୟ ରହିଥିଲା। ଇଞ୍ଜୁରି ଟାଇମ ବାବଦରେ ଅତିରିକ୍ତ ୪ ମିନିଟ୍ ଖେଳ ହୋଇଥିଲା। ଅନ୍ତିମ ୩୦ ମିନିଟ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଆଉ କୌଣସି ଗୋଲ ନ ହେବା ଫଳରେ ମ୍ୟାଚ ଶେଷରେ ଅମୀମାଂସିତ ରହିଥିଲା।