SC East Bengal players warming up before the match 17 of the 7th season of the Hero Indian Super League between NorthEast United FC and SC East Bengal held at the Tilak Maidan Stadium, Goa, India on the 5th December 2020 Photo by Faheem Hussain / Sportzpics for ISL
ଭାସ୍କୋ,୧୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଟୁର୍ନାମେଣ୍ଟରେ ଗୁରୁବାର ଇଷ୍ଟବେଙ୍ଗଲ ଓ ଜାମଶେଦପୁର ଏଫ୍ସି ପରସ୍ପରକୁ ଭେଟିବେ। ଏହି ମ୍ୟାଚ ଇଷ୍ଟ ବେଙ୍ଗଲ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ଇଷ୍ଟବେଙ୍ଗଲ ତା’ର ପ୍ରଥମ ୩ଟି ମ୍ୟାଚରେ ପରାସ୍ତ ହୋଇଛି ଓ ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ସର୍ବନିମ୍ନ ସ୍ଥାନରେ ରହିଛି। ଫଳରେ ବେଙ୍ଗଲ କୋଚ ତଥା ଲିଭରପୁଲ ଲିଜେଣ୍ଡ ଖେଳାଳି ରୋବି ଫୋଲରଙ୍କ ପାଇଁ ଏହି ମ୍ୟାଚ ପରୀକ୍ଷା ସୃଷ୍ଟି କରିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସେ ପ୍ରବଳ ଚାପରେ ରହିଛନ୍ତି। ଅଧିନାୟକ ତଥା ଡିଫେଣ୍ଡର ଡାନୀ ଫକ୍ସଙ୍କ ଇଞ୍ଜୁରି ପରେ ଦଳର ଦୁର୍ବଳତା ପଦାରେ ପଡିଛି। ଏହା ପୂର୍ବରୁ ବେଙ୍ଗଲ ପ୍ରଥମ ମ୍ୟାଚରେ ଏଟିକେ ମୋହନ ବାଗାନଠାରୁ ୨-୦ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟିଠାରୁ ୩-୦ ଗୋଲ ଓ ତୃତୀୟ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡଠାରୁ ୨-୦ ଗୋଲରେ ପରାସ୍ତ ହୋଇଥିଲା। ସୁଯୋଗର ସଦ୍ବ୍ୟବହାର ଉପରେ ବେଙ୍ଗଲ ମିଡ୍ଫିଲ୍ଡର ଜାକ୍ୟୁସ ମାଘୋମା ଗୁରୁତ୍ୱ ଦେଇଛନ୍ତି। ତ୍ରୁଟି ସୁଧାରି ପାରିଲେ ଆମେ ନିଶ୍ଚିତ ବିଜୟୀ ହେବୁ ବୋଲି ସେ କହିଛନ୍ତି। ବିଜୟୀ ହେବା ପାଇଁ ସବୁ ପ୍ରକାର ପ୍ରୟାସ କରିବୁ ବୋଲି କୋଚ୍ ଫୋଲର କହିଛନ୍ତି।
ଅପରପକ୍ଷରେ ଜାମେଶେଦପୁର ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ, ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୫ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍ ଜାମେଶେଦପୁର ୧-୨ ଗୋଲରେ ଚେନ୍ନାଇନ୍ ଏଫ୍ସିଠାରୁ ପରାସ୍ତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍ସି ବିପକ୍ଷରେ ୨-୨ ଗୋଲରେ ମ୍ୟାଚ୍ ଅମୀମାଂସିତ ରଖିଥିଲା। ହାଇଦ୍ରାବାଦ ବିପକ୍ଷ ତୃତୀୟ ମ୍ୟାଚ୍କୁ ୧-୧ ଗୋଲରେ ଅମୀମାଂସିତ ରଖିଥିଲା। ତେବେ ଗତ ମ୍ୟାଚ ଜାମଶେଦପୁର ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା। ଫଳରେ ଦଳର ଆତ୍ମବିଶ୍ୱାସ ଦୃଢ ରହିଛି। ତେଣୁ ଇଷ୍ଟବେଙ୍ଗଲ ବିପକ୍ଷରେ ଜାମଶେଦପୁର ଫେଭରାଇଟ୍ ବିବେଚିତ ହେଉଛି।